28.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍କ୍ବାଡରେ ଦେଶୀ ମୁଧୋଲ କୁକୁର

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସ୍କ୍ବାଡରେ ଦେଶୀ ମୁଧୋଲ କୁକୁର

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ଦେଶୀ ପ୍ରଜାତିର ମୁଧୋଲ ହାଉଣ୍ଡ କୁକୁରକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ତେବେ ଏ କୁକୁରକୁ ମୋଦୀଙ୍କ ସୁରକ୍ଷା ସ୍କ୍ବାଡରେ ଅନ୍ତର୍ଭୁକ୍ତ କରିବାର କାରଣ କ’ଣ? ଅତ୍ୟନ୍ତ ସ୍ଫୂର୍ତ୍ତିଶୀଳ ଏହି କୁକୁରର ଗୋଟିଏ ବିଶେଷତ୍ବ ହେଉଛି ଏହା ପଟେ ରୁଟିରେ ବି ଚଳିଯାଇପାରେ। କର୍ଣ୍ଣାଟକର ବଗଲକୋଟ ଜିଲ୍ଲାରେ ଥିବା କ୍ୟାନାଇନ ରିସର୍ଚ୍ଚ ଇନଫର୍ମେସନ ସେଣ୍ଟର (ସିଆର୍ଆଇସି)ରେ ରହୁଥିବା ଏହି କୁକୁର ପୂରାପୂରି ଆମ ଭାରତୀୟ ଘରର ଖାଦ୍ୟ ଖାଇଥାଏ। କେବଳ ଅଧକିଲୋ ପେଷା ହୋଇଥିବା ମକା, ଗହମ ଓ ହରଡ଼ ଡାଲିରେ ଏହାର କାମ ଚଳିଯାଇପାରେ, ଯାହା ତାକୁ ଦିନରେ ଦୁଇଥର ଦିଆଯାଇଥାଏ। ଏହା ସହିତ ସବୁଦିନ ଦୁଇଟି ଅଣ୍ଡା ଓ ଅଧଲିଟର କ୍ଷୀର ବି ଦିଆଯାଏ। ମୁଧୋଲ କୁକୁରର ମୁଣ୍ଡ, ବେକ ଓ ଛାତି ଲମ୍ବା ହୋଇଥାଏ, ଗୋଡ଼ଗୁଡ଼ିକ ସିଧା ଓ ପେଟ ପତଳା। କାନ ତଳକୁ ମୋଡ଼ି ହୋଇଥାଏ। ଗ୍ରେଟ୍ ଡେନ୍ ପରେ ଦେଶୀ ପ୍ରଜାତି ଭିତରେ ଏହା ସବୁଠାରୁ ଲମ୍ବା କୁକୁର। ଏହାର ଉଚ୍ଚତା ୭୨ ସେଣ୍ଟିମିଟର ଓ ଓଜନ ୨୦ରୁ ୨୨ କିଲୋ ହୋଇଥାଏ। ମୁଧୋଲ କୁକୁର ଆଖିର ପଲକ ପଡ଼ିବା ଭିତରେ ଏକ କିଲୋମିଟର ପର‌୍ୟ୍ୟନ୍ତ ଝପଟି ଯାଇପାରେ। ଏହାର ଶରୀର କୌଣସି ଆଥଲେଟ୍ ପରି ହୋଇଥାଏ। ଶିକାର କରିବାରେ ଏହାର କେହି ସମକକ୍ଷ ନୁହନ୍ତି। ଆଦିବାସୀମାନେ ଶିକାର ପାଇଁ ଏହି କୁକୁରର ସହାୟତା ନେଇଥାନ୍ତି। ବିଶେଷଜ୍ଞଙ୍କ କହିବା ଅନୁସାରେ ମୁଧୋଲ ପ୍ରଜାତି କୁକୁରଙ୍କ କିଛି ବିଶେଷତ୍ବ ଚମକାଇଲା ଭଳି। ଯେମିତି, ଏହାର ଆଖି ୨୪୦ ଡିଗ୍ରିରୁ ଆରମ୍ଭ କରି ୨୭୦ ଡିଗ୍ରି ପର‌୍ୟ୍ୟନ୍ତ ଘୂରିପାରେ। ତେବେ ଦେଶୀ ପ୍ରଜାତିର କିଛି କୁକୁରଙ୍କ ତୁଳନାରେ ଏହାର ଶୁଙ୍ଘିବା ଶକ୍ତି ଟିକିଏ ଦୁର୍ବଳ। ଏହାର ଶୀତ ସମ୍ଭାଳିବା କ୍ଷମତା ବି ଟିକେ କମ୍। ଏହି କୁକୁରକୁ ଆପଣ ସବୁବେଳେ ବାନ୍ଧି ରଖିପାରିବେ ନାହିଁ। ଏହା ଖୋଲାରେ ବୁଲିବାକୁ ପସନ୍ଦ କରେ। ସକାଳେ ଓ ସନ୍ଧ୍ୟାରେ ଏହାକୁ ଘଣ୍ଟାଏ ଲେଖା ବୁଲାଇଲେ ଏହା ନିଜର କାମ ଅଧିକ ଭଲ ଭାବରେ କରିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking