30.1 C
Bhubaneswar
Wednesday, May 1, 2024
Homeଖେଳକୁଲଦୀପ୍‌ଙ୍କୁ ୩ ୱିକେଟ୍‌, ଫ୍ରେଜର୍‌-ମ୍ୟାକ୍‌ଗୁର୍କଙ୍କ ଅର୍ଦ୍ଧଶତକ, ୬ ୱିକେଟ୍‌ରେ ଜିତିଲା ଦିଲ୍ଲୀ

କୁଲଦୀପ୍‌ଙ୍କୁ ୩ ୱିକେଟ୍‌, ଫ୍ରେଜର୍‌-ମ୍ୟାକ୍‌ଗୁର୍କଙ୍କ ଅର୍ଦ୍ଧଶତକ, ୬ ୱିକେଟ୍‌ରେ ଜିତିଲା ଦିଲ୍ଲୀ

ଲକ୍ଷ୍ନୌ : ସ୍ଥାନୀୟ ଏକନା ଷ୍ଟାଡିୟମ୍‌ରେ ଶୁକ୍ରବାର ଖେଳାଯାଇଥିବା ଚଳିତ ଆଇପିଏଲ୍ ସିଜନ୍‌ର ୨୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟ୍‌ରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ (ଏଲ୍‌ଏସ୍‌ଜି)କୁ ହରାଇ ଦେଇଛି । ଏହା ଲକ୍ଷ୍ନୌ ବିପକ୍ଷରେ ଦିଲ୍ଲୀର ପ୍ରଥମ ବିଜୟ ହୋଇଥିବା ବେଳେ ସିଜନ୍‌ରେ ୬ ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ । ଏହା ସହ ଦିଲ୍ଲୀ ୪ ପଏଣ୍ଟ୍ ନେଇ ଟେବଲ୍ ନିମ୍ନରୁ ନବମ ସ୍ଥାନକୁ ଉଠିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ୱିକେଟ୍ ହରାଇ ୧୬୭ ରନ୍ କରିଥିଲା । ଜବାବରେ ଦିଲ୍ଲୀ ୪ ୱିକେଟ୍ ବିନିମୟରେ ୧୮.୧ ଓଭର୍‌ରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଶେଷ ଓଭର୍‌ରେ ବିଜୟ ପାଇଁ ୧୨ ରନ୍ ଆବଶ୍ୟକ ଥିବାବେଳେ ଟ୍ରିଷ୍ଟାନ୍ ଷ୍ଟବ୍‌ସ ଛକା ମାରି ଟିମ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ବିଜୟ ଦେଇଥିଲେ ।
୧୬୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ କ୍ୟାପିଟାଲ୍ ପ୍ରଥମେ ଓପ୍ନର୍ ଡେଭିଡ୍ ୱାର୍ଣ୍ଣର୍ (୮)ଙ୍କ ୱିକେଟ୍ ହରାଇଥିଲା ।

ତାଙ୍କୁ ଯୁବ ବୋଲର୍ ୟଶ୍ ଠାକୁର କ୍ଲିନ୍ ବୋଲ୍ଡ କରିଥିଲେ । ଆଉ ୩୯ ରନ୍ ଯୋଗହେବା ପରେ ପୃଥ୍ୱୀ ଶ’ ୩୨ ରନ୍ କରି ରବି ବିଷ୍ଣୋଇଙ୍କ ବଲ୍‌ରେ ପୂରନ୍‌ଙ୍କୁ କ୍ୟାଚ୍ ଦେଇଥିଲେ । ଏହା ବିଷ୍ଣୋଇଙ୍କ ଚଳିତ ସିଜନ୍‌ରେ ପ୍ରଥମ ୱିକେଟ୍ ଥିଲା । ଏହାପରେ ଜେକ୍ ପ୍ରେଜର୍‌-ମ୍ୟାକ୍‌ଗୁର୍କ ଓ କ୍ୟାପ୍‌ଟେନ୍ ଋଷଭ ପନ୍ତ୍ ଦିଲ୍ଲୀ ଇନିଂସ୍ ଆଗେଇ ନେଇଥିଲେ । ଉଭୟ ତୃତୀୟ ୱିକେଟ୍ ପାଇଁ ୭୭ ରନ୍‌ର ଭାଗୀଦାରି କରିଥିଲେ । ତେବେ ୩୨ ବଲ୍‌ରେ ଆଇପିଏଲ୍ କ୍ୟାରିୟର୍‌ର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିବା ଫ୍ରେଜର୍‌-ମ୍ୟାକ୍‌ଗୁର୍କ ୫୫ ରନ୍‌ରେ ନବୀନ-ଉଲ୍‌-ହକ୍‌ଙ୍କ ଶିକାର ହୋଇଥିଲେ । ତାଙ୍କର ୩୫ ବଲ୍‌ର ଇନିଂସ୍‌ରେ ୨ଟି ଚୌକା ଓ ୫ଟି ଛକା ସାମିଲ ଥିଲା । ପରବର୍ତ୍ତୀ ଓଭର୍‌ରେ ଋଷଭ ପନ୍ତ୍ ବିଷ୍ଣୋଙ୍କ ଶିକାର ହୋଇଥିଲେ । ପନ୍ତ୍ ୨୪ ବଲ୍‌ରେ ୪ ଚୌକା ଓ ୨ ଛକା ସହାୟତାରେ ୪୧ ରନ୍ କରିଥିଲେ । ଏହାପରେ ଟ୍ରିଷ୍ଟାନ୍ ଷ୍ଟବ୍ସ ଓ ଶାଇ ହୋପ୍ ଟିମ୍‌କୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ । ଷ୍ଟବ୍ ୯ ବଲ୍‌ରୁ ଗୋଟିଏ ଛକା ସହାୟତାରେ ୧୫ ଏବଂ ହୋପ୍ ୧୦ ବଲ୍‌ରେ ୧୧ ରନ୍ କରି ଅପରାଜିତ ଫେରିଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ ଦୁଇଟି, ନବୀବ ଉଲ୍‌-ହକ୍ ଓ ୟଶ୍ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ ପକ୍ଷରୁ କ୍ୱିଣ୍ଟନ୍ ଡି କକ୍ ଓ କ୍ୟାପ୍‌ଟେନ୍ କେଏଲ୍ ରାହୁଲଙ୍କ ଯୋଡ଼ି ଉନ୍ନତ ଆରମ୍ଭ କରିଥିଲେ । ଦୁହେଁ ତୃତୀୟ ଓଭର୍ ବେଳକୁ ୨୮ ରନ୍ ଯୋଡ଼ିଥିଲେ । ମାତ୍ର ଖଲିଲ୍ ଅହମଦ ତୃତୀୟ ଓଭର୍‌ର ୫ମ ବଲ୍‌ରେ ଡି କକ୍ (୧୯)ଙ୍କୁ ଆଉଟ୍ କରି ଦିଲ୍ଲୀକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ଦେବଦତ୍ତ ପାଡିକ୍କଲ୍ (୩)ଙ୍କୁ ଆଉଟ୍ କରି ଖଲିଲ୍ ଲକ୍ଷ୍ନୌକୁ ଦ୍ୱିତୀୟ ଝଟ୍‌କା ଦେଇଥିଲେ । ଏହାପରେ ମାର୍କସ୍ ଷ୍ଟୋଇନିସ୍ ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ନିକୋଲାସ୍ ପୂରନ୍ ଖାତା ମଧ୍ୟ ଖୋଲିପାରି ନଥିଲେ । କ୍ୟାପ୍‌ଟେନ୍ ରାହୁଲ ୨୨ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ରନ୍ କରିଥିଲେ । ଦୀପକ ହୁଡ୍ଡା ମାତ୍ର ୧୦ ରନ୍ କରି ଫେରିଥିଲେ । ମାତ୍ର ଯୁବ ବ୍ୟାଟର୍ ଆୟୁଷ ବଦୋନି କମାଲ ପ୍ରଦର୍ଶନ କରି ୩୫ ବଲ୍‌ରୁ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୫୫ ରନ୍ କରି ଅର୍ଶଦ୍ ଖାନ୍ (୨୦)ଙ୍କ ସହ ସହ ଅପରାଜିତ ରହିଥିଲେ । ଉଭୟଙ୍କ ମଧ୍ୟରେ ଅଷ୍ଟମ ୱିକେଟ୍ ପାଇଁ ୭୩ ରନ୍‌ର ଭାଗୀଦାରି ହୋଇଥିଲା ।

ଏହି ଖେଳାଳିଙ୍କ ଯୋଗୁଁ ଲକ୍ଷ୍ନୌ ୭ ୱିକେଟ୍ ବିନିମୟରେ ୧୬୭ ରନ୍ କରିଥିଲା । କୁଲଦୀପ୍ ଯାଦବ ମାପଚୁପ ବୋଲିଂ କରି ଲକ୍ଷ୍ନୌ ବ୍ୟାଟର୍‌ଙ୍କୁ ବଡ଼ ଷ୍ଟ୍ରୋକ୍ ଖେଳିବାକୁ ଦେଇନଥିଲେ । ସେ ୪ ଓଭର୍‌ରେ ୨୦ ରନ୍ ଦେଇ ତିନିଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହାସଲ କରିଥିଲେ । ଅଷ୍ଟମ ଓଭର୍ ବୋଲିଂ କରିବାକୁ ଆସିଥିବା କୁଲଦୀପ୍ ତୃତୀୟ ବଲ୍‌ରେ ଷ୍ଟୋଇନିସ୍‌ଙ୍କୁ ଈଶାନ୍ତ ଶର୍ମାଙ୍କ ହାତରେ କ୍ୟାଚ୍ କରାଇଥିଲେ । ଏହାପରେ ଜବରଦସ୍ତ ଫର୍ମରେ ଥିବା ନିକୋଲାସ୍ ପୂରନ୍‌ଙ୍କୁ ଖାତା ଖୋଲିବାକୁ ନଦେଇ ଚତୁର୍ଥ ବଲ୍‌ରେ କ୍ଲିନ୍ ବୋଲ୍ଡ କରିଥିଲେ । ଏହି ବଲ୍‌କୁ ପୂରନ୍ ବୁଝିପାରି ନଥିଲେ ଏବଂ ଏହା ତାଙ୍କ ବ୍ୟାଟ୍ ଓ ପ୍ୟାଡ୍ ମଝିରେ ଯାଇ ଷ୍ଟମ୍ପ୍‌ସରେ ବାଜିଥିଲା । ଏହାପରେ କୁଲଦୀପ ଦଶମ ଓଭର୍‌ର ତୃତୀୟ ବଲ୍‌ରେ ରାହୁଲଙ୍କୁ ୱିକେଟ୍ ପଛରେ ପନ୍ତ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ତାଙ୍କ ବ୍ୟତୀତ ଖଲିଲ୍ ଅହମଦ ଦୁଇଟି, ଈଶାନ୍ତ ଶର୍ମା ଓ ମୁକେଶ କୁମାରଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking