ନୂଆଦିଲ୍ଲୀ: ସାଂସଦମାନଙ୍କ ସ୍ୱତନ୍ତ୍ର ଟ୍ରିଟ୍ମେଣ୍ଟ୍ ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଦିଆଯାଇଥିବା ଆଦେଶ ପତ୍ୟାହୃତ ହୋଇଛି । ଦିଲ୍ଲୀ ଏମ୍ସ ମୁଖ୍ୟ ପ୍ରଶାସନିକ ଅଧିକାରୀ ଦେବନାଥ ସାହ ଶୁକ୍ରବାର ଲୋକସଭା ସଚିବାଳୟର ଯୁଗ୍ମ ସଚିବ ୱାଇଏମ୍ କାଣ୍ଡପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଚିଠିରେ କୁହାଯାଇଛି ଦିଲ୍ଲୀ ଏମ୍ସରେ ସାଂସଦମାନଙ୍କ ଚିକିତ୍ସା ଏବଂ ଦେଖାଶୁଣା ବ୍ୟବସ୍ଥା ସମ୍ବନ୍ଧରେ ଏମ୍ସ ନିର୍ଦ୍ଦେଶକ ଡା. ଏମ୍ ଶ୍ରୀନିବାସଙ୍କ ପତ୍ରକୁ ତତ୍କାଳ ପ୍ରତ୍ୟାହାର କରାଯାଉଛି ।
ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍ (ଏଫ୍ଏଆଇଏମ୍ଏ) ଡା. ଏମ୍ ଶ୍ରୀନିବାସଙ୍କ ପତ୍ରକୁ ତତ୍କାଳ ରଦ୍ଦ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିଆଙ୍କୁ ପତ୍ର ଲେଖିଥିଲା । ସୂଚନା ଅନୁସାରେ ସାଂସଦମାନଙ୍କ ଚିକିତ୍ସା ସୁବିଧାକୁ ସୁବ୍ୟବସ୍ଥିତ କରିବା ନିମନ୍ତେ ଦିଲ୍ଲୀ ଏମ୍ସ ଏକ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସ୍ଓପି) ଜାରି କରିଥିଲା । ଏହି ଏସ୍ଓପି ଅନୁସାରେ ସାଂସଦମାନଙ୍କୁ ଚିକିତ୍ସା ଏବଂ ଦେଖାଶୁଣା ବ୍ୟବସ୍ଥାର ସମନ୍ୱୟ ପାଇଁ ଜଣେ ନୋଡାଲ୍ ଅଧିକାରୀଙ୍କୁ ନିଯୁକ୍ତ କରାଯିବାର ଥିଲା । ମାତ୍ର ଡାକ୍ତରଙ୍କ ଏକ ଗ୍ରୁପ୍ ଏହାକୁ ଭିଆଇପି ସଂସ୍କୃତି କାହିବା ସହ ଏହାର ସମାଲୋଚନା କରିଥିଲେ । ସେହିପରି ଏମ୍ସର ଫେଡେରେସନ୍ ଅଫ୍ ରେସିଡେନ୍ସ ଡକ୍ଟର୍ସ ଆସୋସିଏସନ୍ (ଏଫ୍ଓଆର୍ଡିଏ) ଏହି ପଦକ୍ଷେପକୁ ସମାଲୋଚନା କରି କହିଥିଲା ସାଂସଦଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗୁଁ ସାଧାରଣ ରୋଗୀଙ୍କୁ ମିଳୁଥିବା ସେବା ଉପରେ ପ୍ରଭାବ ପଡ଼ିବ ।