ନୂଆଦିଲ୍ଲୀ : ଦକ୍ଷିଣ-ପଶ୍ଚିମ ହାଇତିରେ ଗତ ୧୪ ତାରିଖରେ ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଯାହା ଦେଶର ସାମାଜିକ ଓ ଅର୍ଥନୈତିକ ପରିସ୍ଥିତିକୁ ଦୋହଲାଇ ଦେଇଛି । ଭୂକମ୍ପରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୪୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ରିକ୍ଟର ସ୍କେଲରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ୬୯୦୦ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଶହ ଶହ ଲୋକ ଗୁରୁତର ଅଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୂକମ୍ପ ପରେ ଏବେ ଏଠାରେ ପ୍ରବଳ ବର୍ଷା ହୋଇଛି, ଯେଉଁଥି ପାଇଁ ଲୋକଙ୍କର ଦୁଃଖ ୨ ଗୁଣ ହୋଇଯାଇଛି । ବନ୍ୟା ପରସ୍ଥିତି ଯୋଗୁଁ ଲୋକଙ୍କ ପାଖରେ ସେବା ଯୋଗାଇ ହେଉନାହିଁ । ଲୋକେ ଖାଦ୍ୟ, ଚିକିତ୍ସା ଏବଂ ଆଶ୍ରୟ ପାଇପାରୁ ନାହାନ୍ତି । ଭୂକମ୍ପରେ ବହୁ ସଂଖ୍ୟାରେ ଡାକ୍ତରଖାନା ଭାଙ୍ଗିଯାଇଛି । ଡାକ୍ତରମାନଙ୍କୁ ଏବେ ଟେଣ୍ଟ ତଳେ ରୋଗୀ ଚିକିତ୍ସା କରିବାକୁ ପଡୁଛି । ତେବେ ବହୁ ସଂଖ୍ୟାରେ ଶିଶୁ ଏବଂ ବୟସ୍କ ଆହତ ହୋଇଥିବାରୁ ଏବେ ସେମାନଙ୍କୁ ଚିିକିତ୍ସା ଯୋଗାଇ ଦେବା ଅସୁବିଧା ହେଉଛି । ସୂଚନା ଯେ, ପେଟିଟ ସହର ଠାରୁ ୮ କିଲୋମିଟର ଦୂର ଏବଂ ପୋର୍ଟ-ଓ-ପ୍ରିନ୍ସଠାରୁ ପାଖାପାଖି ୧୫୦ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ଜଣାଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଭୂକମ୍ପରେ ୩୭ ହଜାର ୩୧୨ ଘରକୁ କ୍ଷତି ପହଂଚାଇଛି । କିଛି ଘର ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । କିନ୍ତୁ ଅଧିକାଂଶ ଆଶିଂକ କ୍ଷତି ହୋଇଛି । ସେହିଭଳି ବହୁ ସଂଖ୍ୟାରେ ଚର୍ଚ୍ଚ, ହୋଟେଲ ଏବଂ ବିଦ୍ୟାଳୟ ଗୁଡ଼ିକ ମଧ୍ୟ ଭାଙ୍ଗିଯାଇଛି ।