30.1 C
Bhubaneswar
Sunday, September 6, 2026
Homeଓଡିଶାଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି: ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ ଗ୍ରାମର ରୁନା ବଡ଼ରଇତ। ପ୍ରାୟ ୪୫ ଦିନ ଧରି ସେ ଏକ ପୋକ୍ସୋ ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲ୍‌ରେ ଥିଲେ। ଜେଲରଙ୍କ ସୂଚନା ଅନୁଯାୟୀ, ରୁନା ଶନିବାର ରାତିରେ ଅନ୍ୟ କଏଦୀଙ୍କ ସହ ରାତ୍ରିଭୋଜନ ସାରି ବିଶ୍ରାମ ନେଉଥିବାବେଳେ ଅସୁସ୍ଥ ଅନୁଭବ କରିଥିଲେ। ଜେଲ ଫାର୍ମାସିଷ୍ଟ ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ରୁନାଙ୍କୁ ମୃତ ଘୋଷଣା କରିଥିଲେ।ତେବେ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣା ସମ୍ପର୍କରେ ପରିବାରକୁ ପ୍ରଥମେ ରୁନାଙ୍କ ଅସୁସ୍ଥତା ଏବଂ ପରେ ମୃତ୍ୟୁ ସମ୍ପର୍କରେ ଜଣାଇ ଦିଆଯାଇଥିବା ଜେଲର କହିଛନ୍ତି।

ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରୁନାଙ୍କ ମୃତ୍ୟୁକୁ ନେଇ ପରିବାର ଓ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ରୁନାଙ୍କ ସ୍ତ୍ରୀଙ୍କ କହିବାନୁଯାୟୀ, ଗିରଫ ସମୟରେ ରୁନା ସୁସ୍ଥ ଥିଲେ। ଏପରିକି ପ୍ରାୟ ୧୫ ଦିନ ତଳେ ଜେଲ୍‌ରେ ଭେଟିବା ସମୟରେ ମଧ୍ୟ ତାଙ୍କର କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଥିବା ଜଣାପଡ଼ି ନ ଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି।ଜେଲ ହାଜତରେ ମୃତ୍ୟୁ ହୋଇଥିବାରୁ ଉପଯୁକ୍ତ କ୍ଷତିପୂରଣ ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି। ଦାବିପୂରଣ ନ ହେଲେ ମୃତଦେହ ନେଇ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏବେ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି। ବ୍ୟବଚ୍ଛେଦ ପରେ ହିଁ ରୁନାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking