ଭବାନୀପାଟଣା :ପିଲାଙ୍କୁ ସ୍କୁଲ ମୁହାଁ କରିବା ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ସହ ଉନ୍ନତମାନର ଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ କିଛି ଅସାଧୁ ବ୍ୟକ୍ତିଙ୍କ ପାଇଁ ପିଲାଙ୍କ ଖାଦ୍ୟ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ମଧ୍ୟାହ୍ନଭୋଜନ ଆଳରେ ପିଲାଙ୍କୁ ଦିଆଯାଉଛି ପ୍ଲାଷ୍ଟିକ୍ ଚାଉଳ । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଡୁମରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏଭଳି ସଙ୍ଗିନ୍ ଅଭିଯୋଗ ।
ଖବର ଅନୁଯାୟୀ, କୋଭିଡ୍ ମହାମାରୀ ପାଇଁ ସମସ୍ତ ସ୍କୁଲ ବନ୍ଦ ହେବାରୁ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ପୁଷ୍ଟିକର ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ । ପିଲାଙ୍କୁ ଯୋଗାଇ ଦିଆଯାଉଥିବା ଶୁଖିଲା ଖାଦ୍ୟ ବା ଚାଉଳ ନିମ୍ନମାନର ହେବା ସହ ପ୍ଲାଷ୍ଟିକ ଚାଉଳ ଯୋଗାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୦ ପିଲାଙ୍କ ପାଇଁ ୧୪ କ୍ୱିଣ୍ଟାଲ ଚାଉଳ ଯୋଗାଣ ହୋଇଥିବା ବେଳେ ଅଭିଭାବକ ମଧ୍ୟ ବେଶ୍ ଖୁସିରେ ଚାଉଳ ନେଇ ପିଲାଙ୍କ ପାଇଁ ରୋଷେଇ କରିଥିଲେ । ମାତ୍ର ରୋଷେଇ ବେଳକୁ ସେମାନେ ଜାଣିବାକୁ ପାଇଲେ ଯେ ସେଥିରେ କିଛି ମାତ୍ରାରେ ପ୍ଲାଷ୍ଟିକ ଚାଉଳ ମିଶିଛି । ୧୦୦ ଗ୍ରାମ ଚାଉଳରେ ପାଖାପାଖି ୩୦ ଭାଗ ଚାଉଳ ପ୍ଲାଷ୍ଟିକ ପରି ଦେଖା ଯାଉଥିଲା । ସାଧାରଣ ଚାଉଳଠାରୁ ଏହା ଦେଖିବାକୁ ପୂରା ଭିନ୍ନ । ଚାଉଳରେ ଏଭଳି ମିଶ୍ରଣ ଦେଖି ଅଭିଭାବକ ସ୍କୁଲ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଶିକ୍ଷକ ସମସ୍ତ ବଣ୍ଟନ ଚାଉଳ ଫେରାଇ ଦେବାପାଇଁ କହିଥିଲେ । ତେବେ ଏନେଇ ଶିକ୍ଷକଙ୍କୁ ପଚାରିବାରୁ ଜିଲ୍ଲା ଶିକ୍ଷା ବିଭାଗ ଚାଉଳ ପଠାଇବାରୁ ଆମେ ବଣ୍ଟନ କରୁଛୁ ଏବଂ ଅପମିଶ୍ରିତ ଚାଉଳ ସମ୍ପର୍କରେ କିଛି ଜଣାନଥିବା କହିଛନ୍ତି । ପ୍ରତ୍ୟେକ ମାସରେ ଓଜନ ଠାରୁ ବହୁ କମ୍ ଚାଉଳ ସ୍କୁଲକୁ ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପମିଶ୍ରିତ ଚାଉଳକୁ ଅସ୍ୱୀକାର କରିଛନ୍ତି ଜିଲ୍ଲା ଯୋଗାଣ ଅଧିକାରୀ । ସରକାରଙ୍କ ନିର୍ଦ୍ଦେଶକ୍ରମେ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଯୋଗାଇ ଦେବାପାଇଁ ବର୍ତ୍ତମାନ ଆଇରନ୍ ଯୁକ୍ତ ଖାଦ୍ୟ ଦିଆଯିବ । ତେଣୁ ଭିଟାମିନ ମିଶ୍ରିତ ହେବା ଯୋଗୁଁ ଚାଉଳରେ ପରିବର୍ତ୍ତନ ଦେଖାଦେଉଛି ବୋଲି ସେ କହିଛନ୍ତି । ତେବେ ଏହି ମିଶ୍ରିତ ଚାଉଳର ସତ୍ୟତା ନେଇ ଏବେ ପ୍ରଶ୍ନଉଠିଛି । କାହାର ଲାଭଖୋର ମନୋବୃତ୍ତି ପାଇଁ ପିଲାଙ୍କ ଜୀବନ ସହ ଖେଳୁଛି ଶିକ୍ଷା ବିଭାଗ? ପିଲାଙ୍କୁ ଭିଟାମିନ ଯୁକ୍ତ ଖାଦ୍ୟ ଯୋଗାଇଦେବା ଏକ ବାହାନା ନା ଅପମିଶ୍ରିତ ଚାଉଳ ବାଣ୍ଟୁଛି ବିଭାଗ? ଏହାର ତଦନ୍ତ ଜରୁରୀ ବୋଲି ଅଭିଭାବକମାନେ ମତ ରଖିଛନ୍ତି ।