ନୂଆଦିଲ୍ଲୀ: ରାଜଧାନୀରେ ଥମୁନି ଅପରାଧର ଘଟଣା । ବାରମ୍ବାର ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ପରେ ଗୋଟିଏ କ୍ରାଇମ୍ କରି ଚାଲିଛନ୍ତି ଅପରାଧୀ । ପୁଣିଥରେ ରାଜଧାନୀରୁ ମିଳିଛି ସୁଟକେସ, ଯାହା ଭିତରେ ରହିଛି ଜଣେ ମହିଳାଙ୍କ ଗଳିତ ମୃତଦେହ । ଏହି ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରି ଦେଇଛି । ଘଟଣାସ୍ଥଳରେ ପୋଲିସ ଏବଂ ତଦନ୍ତକାରୀ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ । ତେଣୁ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନା ଅନୁସାରେ, ରାଜଧାନୀ ଦିଲ୍ଲୀର ରିଙ୍ଗ ରୋଡ ନିକଟ ଏକ ନାଳରେ ସୁଟକେସ ଦେଖି କେହି ଜଣେ ଚଉଜକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପଞ୍ଜାବୀ ବାଗ ଥାନା ପୋଲିସ ପହଞ୍ଚି ସୁଟକେସ ଭିତରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି । ଏଠାରେ ମୃତଦେହ ଏବଂ ପାରିପାଶ୍ୱିର୍କ ପରିସ୍ଥିତି ଦେଖି ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରୁଛି ପୋଲିସ । ଗତ ୮-୧୦ ଦିନ ମଧ୍ୟରେ ମହିଳାଙ୍କୁ ହତ୍ୟା କରାଯିବା ପରେ ଶବକୁ ସୁଟକେସରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି ।
ତେବେ ଏପର୍ଯ୍ୟନ୍ତ ମୃତ ମହିଳାଙ୍କର କୌଣସି ପରିଚୟ ମିଳିପାରିନାହିଁ । ସେପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମହିଳାଙ୍କ ପରିଚୟ ଖୋଜିବା ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ରହିଛି । ପୋଲିସ କହିବା ଅନୁଯାୟୀ ମହିଳାଙ୍କୁ ଅନ୍ୟ କେଉଁ ସ୍ଥାନରେ ହତ୍ୟା କରାଯିବା ପରେ ମୃତଦେହକୁ ଏଠାରେ ଫିଙ୍ଗି ଦିଆଯାଇଛି ।