ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ବରିଷ୍ଠ ରାଜନେତା ତଥା ବିଜେପିର ପୂର୍ବତନ ପ୍ରଚାର କମିଟି ଅଧ୍ୟକ୍ଷ ଡାକ୍ତର ଦାମୋଦର ରାଉତ ନୂଆ ବର୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜବାବ ମାଗିଛନ୍ତି । ଉଜ୍ୱଳା ଯୋଜନା ଦେଶବ୍ୟାପୀ ସଫଳ ହୋଇଥିବା ଓ ଏଥିରେ କୌଣସି ଦୁର୍ନୀତି ହୋଇ ନ ଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୃଢ଼ ଭାବେ କହୁଥିଲା ବେଳେ ଡାକ୍ତର ରାଉତ ଏଥିରେ ସହମତ ହୋଇନାହାଁନ୍ତି । ସିଏଜି ରିପୋର୍ଟକୁ ଆଧାର କରି ଏଥିରେ ବଡ଼ ଧରଣର ଦୁର୍ନୀତି ହୋଇଛି ବୋଲି ସେ କହିିଛନ୍ତି । ଉଜ୍ୱଳା ଯୋଜନାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରିଛନ୍ତି । ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବିଭାଗର ମନ୍ତ୍ରୀ ହୋଇଥିବାରୁ ତାଙ୍କଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି ।
ଡାକ୍ତର ରାଉତ ତାଙ୍କ ଖବରକାଗଜରେ ପ୍ରଥମ ପୃଷ୍ଠାରେ ଉଜ୍ୱଳା ଯୋଜନାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି । ହଠାତ ତାଙ୍କର ଏହି ପଦକ୍ଷେପ ରାଜନୀତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୨୦୧୯ ବର୍ଷରେ ସର୍ବାଧିକ ପ୍ରଚାରିତ ହୋଇଛି । ମାତ୍ର ଏବେ ଭାରତ ସରକାରଙ୍କ ଏକ ବୈଧାନୀକ ସଂସ୍ଥା କଣ୍ଟ୍ରୋଲର ଏବଂ ଅଡିଟର ଜେନେରାଲ(ସିଏଜି) ଯେଉଁ ଅଡିଟ ରିପୋର୍ଟ ପ୍ରକାଶ କରିଛନ୍ତି ଏବଂ ସେଥିରେ ଯେଉଁ ତ୍ରୁଟି ବିଚ୍ୟୁତି ଦର୍ଶାଇଛନ୍ତି ସେ ସମ୍ପର୍କରେ ପେଟ୍ରୋଲିୟମ ମନ୍ତ୍ରୀ ଦେଶବାସୀଙ୍କ ପାଇଁ ଏକ ସ୍ପଷ୍ଟୀକରଣ ରଖନ୍ତୁ । ସିଏଜିଙ୍କ ରିପୋର୍ଟକୁ କେହି ଉଦ୍ଦେଶ୍ୟମୂଳକ ବା ରାଜନୈତିକ ଅଭିସନ୍ଧିମୂଳକ ବୋଲି କହିପାରିବ ନାହିଁ । ସିଏଜି ଉଲ୍ଲେଖ କରିଥିବା ଅନେକ ତଥ୍ୟ ଭିତରୁ ମାତ୍ର ୪ରୁ ୫ଟି ଉଦାହରଣ ଉଜ୍ୱଳା ଯୋଜନାର ଘୋଟାଲ ପରିମାଣ କେତେ ତାହା ଅନୁମାନ କରିହେବ । ଏହିବର୍ଷ ପ୍ରାୟ ୪ ଲକ୍ଷ ୩୫ ହଜାର ହିତାଧିକାରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । କିନ୍ତୁ ବର୍ଷକ ଭିତରେ ଗ୍ୟାସ ସିଲିଣ୍ଡର ପାଇନାହାଁନ୍ତି । ୧୪ ଲକ୍ଷରୁ ଅଧିକ ହିତାଧିକାରୀ ଗୋଟିଏ ମାସରେ ୨୦ରୁ ୪୧ଟି ସିଲିଣ୍ଡର ନେଇଛନ୍ତି । ୩ ଲକ୍ଷ ୪୪ ହଜାର ହିତାଧିକାରୀ ୨ରୁ ୨୦ଟି ସିଲିଣ୍ଡର ଗୋଟିଏ ଦିନରେ ହିଁ ନେଇଛନ୍ତି । ୧ଲକ୍ଷ ୯୮ ହଜାର ହିତାଧିକାରୀ ଗ୍ୟାସ ସିଲିଣ୍ଡର ନେଇଛନ୍ତି । କିନ୍ତୁ ସେମାନେ ତାହାକୁ ଘରୋଇ ବ୍ୟବହାର ନ କରି ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି । ସବୁଠାରୁ କୌତୁହଳର ବିଷୟ ଯେ, ୮ ଲକ୍ଷ ୫୯ ହଜାର ହିତାଧିକାରୀ ହେଉଛନ୍ତି ୧୮ ବର୍ଷରୁ କମ ବାଳକ ବାଳିକା । ସେମାନଙ୍କୁ ହିତାଧିକାର କରିବାର କୌଣସି ନିୟମ ନାହିଁ । ବୋଧହୁଏ ଭୋଟ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଏମାନଙ୍କୁ ଗ୍ୟାସ ସିଲିଣ୍ଡର ଦିଆଯାଇଛି । ଏହି ସିଏଜିଙ୍କ ରିପୋର୍ଟରୁ ଯେ କେହି ଅନୁଭବ କରିବ ବିଦାୟୀ ବର୍ଷର ସବୁଠାରୁ ବଡ଼ ଘୋଟାଲା ହୋଇଛି ଉଜ୍ୱଳା ଯୋଜନାରେ ବୋଲି ଡାକ୍ତର ରାଉତ ତାଙ୍କ ମତ ରଖିଛନ୍ତି ।
ସେ ଆଉ ଏକ ଦିଗକୁ ଦର୍ଶାଇଛନ୍ତି ଯେ, ଉଜ୍ୱଳା ଯୋଜନାର ସଫଳତା ଦର୍ଶାଇବାକୁ ଯାଇ ଦୂରଦର୍ଶନ ଏବଂ ବିଜ୍ଞାପନରେ ପ୍ରସାରିତ ହେଲା ସେଥିରେ ଓଡ଼ିଶାର ଜଣେ ଅତି ଗରିବ ମହିଳା ତାହା ଝୁମ୍ପୁଡ଼ିଘର ବାରଣ୍ଡାରେ ଚୁଲି ଫୁଙ୍କୁଥିବା ଦୃଶ୍ୟ ଦେଖାଇଲା ବେଳେ ଅନ୍ୟ ଗୋଟିଏ ସ୍ୱଚ୍ଛଳ ପରିବାର ୧୫ କିଗ୍ରାର ଗ୍ୟାସ ସିିଲିଣ୍ଡର ହସି ହସି ଗ୍ରହଣ କରୁଥିବାର ଦେଖାଗଲା । ଏହା ବୋଧହୁଏ ଦାରିଦ୍ର୍ୟକୁ ଉପହାସ ସଦୃଶ୍ୟ ବୋଲି ଡାକ୍ତର ରାଉତ ଉଲ୍ଲେଖ କରିଛନ୍ତି ।
ବିଜେପିରୁ ଡାକ୍ତର ରାଉତ ଇସ୍ତଫା ଦେବା ପରେ କେବେହେଲେ ଏଭଳି ସମାଲୋଚନା ବିଜେପିକୁ କରି ନ ଥିଲେ । ଏପରି କି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ବିଜେପିକୁ ନେଇଥିଲେ ବି ଇସ୍ତଫା ଦେବା ସମୟରେ ତାଙ୍କୁ ଦାୟୀ କରି ନ ଥିଲେ । ହଠାତ ଉଜ୍ୱଳା ଯୋଜନାକୁ ଧରି ସିଧା ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିବା ଓ ନୂଆବର୍ଷରେ ତାଙ୍କ କାଗଜରେ ପ୍ରଥମ ପୃଷ୍ଠାରେ ନିଜ ସ୍ୱାକ୍ଷରରେ ସମ୍ପାଦକୀୟରେ ପ୍ରକାଶ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଅନ୍ତର୍ନିହିତ ଥିବା କଥା କୁହାଯାଉଛି । ସିଏଏ ଓ ଏନଆରସି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଦୃଢ଼ ଭାବେ ସମର୍ଥନ କରିଥିବା ଡାକ୍ତର ରାଉତ ହଠାତ ଧର୍ମେନ୍ଦ୍ରଙ୍କୁ ଆକ୍ରମଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।