27.1 C
Bhubaneswar
Thursday, July 31, 2025
Homeଓଡିଶାପୁଅର ଅନ୍ତ୍ୟେଷ୍ଟି ପାଇଁ ଦାଦନ ଦମ୍ପତିଙ୍କୁ ଛାଡୁନି ମାଲିକ

ପୁଅର ଅନ୍ତ୍ୟେଷ୍ଟି ପାଇଁ ଦାଦନ ଦମ୍ପତିଙ୍କୁ ଛାଡୁନି ମାଲିକ

ନୂଆପଡ଼ା : ଦାଦନର ଦୁଃଖ ଥମୁନାହିଁ ଆଉ ଏକ ଯନ୍ତ୍ରଣା ସାମ୍ନାକୁ ଆସିଛି ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ । ପିଲାଛୁଆଙ୍କୁ ପେଟରେ ଦାନା ଓ ଭବିଷ୍ୟତ ଦେବା ଆଶାରେ ଦାଦନ ଖଟିବାକୁ ଗଲେ ଦମ୍ପତି । ହେଲେ ଏଠାରେ ଛାଡ଼ି ଯାଇଥିବା ପୁଅର ମଲା ମୁହଁ ବି ଦେଖିବାକୁ ପାଇ ପାରିଲେ ନାହିଁ । ପୁଅର ଅନ୍ତିମ ସତ୍କାର ପାଇଁ ଘରକୁ ଫେରିବାକୁ ଚାହିଁଲେ ବି ଫେରି ପାରିନଥିଲେ । କାରଣ ମାଲିକ ତାଙ୍କୁ ଛାଡୁନାହିଁ । ଏଭଳି ସ୍ଥିତିରେ ପରିବାରର ଅନ୍ୟ ସଦସ୍ୟ ଏବଂ ଗାଁଲୋକେ ମିଶି ବାପାମାଁଙ୍କ ଅନୁପସ୍ଥିତିରେ ପୁଅର ଅନ୍ତିମ ସତ୍କାର କରିଥିଲେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଜିଲ୍ଲାର ଖଡିଆଳ ବ୍ଲକ୍ ମହୁଲକୋଟ ଗାଁରେ । ଫେବୃୟାରୀ ୧୦ ତାରିଖ ମହୁଲକୋଟ ଗାଁର ରୋହିତ ଶବର (୨୮) ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ରୋହିତଙ୍କ ବାପା, ମା’ କୁନି ଶବର ଓ ବିମଲେ ତେଲେଙ୍ଗାନାର ହାଇଦ୍ରାବାଦ ନିକଟସ୍ଥ ପଟେଲଗୁଡାର ଏକ ଇଟାଭାଟିରେ ଗତ ୨ ମାସ ଧରି ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି ।
ପୁଅର ମୃତ୍ୟୁ ଖବର ପାଇବା ପରେ ତାର ପୁଅର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଇଟାଭାଟି ମାଲିକଙ୍କୁ କିଛିଦିନ ଛୁଟି ଦେବାକୁ ଅନୁରୋଧ କରିଥିଲେ । ଏଥିôପାଇଁ ବାପା,ମା’ଅଗ୍ରୀମ ନେଇଥିବା ୫୦ ହଜାର ଟଙ୍କା ଫେରାଇଦେବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ । ତେବେ ଇଟାଭାଟି ମାଲିକ ମନା କରିବା ଯୋଗୁଁ ପୁଅର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଆସିପାରୁ ନାହାନ୍ତି । ପିତାମାତାଙ୍କ ଅନୁପସ୍ଥିତିରେ ରୋହିତର ଦାହ ତାର ବଡବାପା ଏବଂ ଗ୍ରାମବାସୀ ସମ୍ପନ୍ନ କରିଛନ୍ତି । ଗ୍ରାମରେ ଥିବା ରୋହିତର ଭଉଣୀ ଓ ଭାଇ ତାଙ୍କ ବାପା ଓ ମା’ଙ୍କୁ ନେଇଥିବା ଦଲାଲ ପବିତ୍ର ହାତୀଙ୍କୁ ବାରମ୍ଭାର ଅନୁରୋଧ କରିବା ପରେ ମଧ୍ୟ ଦଲାଲ କୁନି ଶବର ଏବଂ ମା’ ବିମଲେ ଶବରଙ୍କୁ ଫେରାଇ ଆଣିବା ଲାଗି ଇଟାଭାଟି ମାଲିକଙ୍କୁ ଅନୁରୋଧ କରିବା ପାଇଁ ମନା କରି ଦେଇଥିଲେ ।
ଫଳରେ ରୋହିତର ଦଶାହ କାର୍ଯ୍ୟ ଏବେ ବି କରାଯାଇପାରିନାହିଁ । ପରେ ଜିଲ୍ଲା ଶ୍ରମ ଅଧିକାରୀ ଶରତଚନ୍ଦ୍ର ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାପରେ ଜିଲ୍ଲା ଶ୍ରମ ଅଧିକାରୀ ପଲମା ଗାଁର ଦାଦନ ଦଲାଲ ପବିତ୍ର ତଥା ଦ୍ୱିତୀୟ ସରର୍ଦାର କଣ୍ଟାବାଞ୍ଜିର ପାର୍ଥମ ବେହେରାଙ୍କୁ ଫୋନ୍ ଯୋଗେ କଥାହୋଇ ଦାଦନ ଦମ୍ପତିଙ୍କୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ୱେ ସେମାନେ ଏଯାଏଁ ଆସିପାରି ନାହାନ୍ତି । ଏଥିପ୍ରତି ତୁରନ୍ତ ନୂଆପଡ଼ା ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ କୁନି ଓ ବିମଲେଙ୍କୁ ଫେରାଇ ଆଣିବା ଲାଗି ଗ୍ରାମବାସୀ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking