ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା କ୍ରୟ ପରିଷଦ (ଡିଏସି) ୧୩,୧୬୫ କୋଟି ଟଙ୍କାର ଯୁଦ୍ଧାସ୍ତ୍ର କ୍ରୟ ପାଇଁ ବୁଧବାର ମଞ୍ଜୁୂରୀ ପ୍ରଦାନ କରିଛି । ଏହା ମଧ୍ୟରେ ପ୍ରମୁଖ ହେଉଛି ୨୫ଟି ସ୍ୱଦେଶୀ ବିକଶିତ ଆଧୁନିକ ହାଲୁକା (ଏଚ୍ଏଏଲ୍) ମାର୍କ-୩ ହେଲିକପ୍ଟର । ଏହି ଡବଲ୍ ଇଞ୍ଜିନି୍ ବିଶିଷ୍ଟ ବହୁ ଭୂମିକା ଥିବା ହେଲିକପ୍ଟର ହିନ୍ଦୁସ୍ଥାନ ଏରୋନାଟିକ୍ସ ଲିମିଟେଡ୍ (ଏଚ୍ଏଏଲ୍)ଠାରୁ ୪,୮୫୦ କୋଟି ଟଙ୍କାରେ କିଣାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି । ସେହିପରି ରକେଟ୍ରେ ବ୍ୟବହୃତ ଗୋଳା ବାରୁଦ କିଣିବା ପାଇଁ ୪,୯୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ।
ଏହା ମଧ୍ୟ ଘରୋଇ କ୍ଷେତ୍ରରୁ କିଣାଯିବ । ଅନ୍ୟପକ୍ଷରେ ୧୭୦୦ କୋଟି ଟଙ୍କା ମୂଲ୍ୟରେ ମିଡିୟମ୍ ରେଞ୍ଜ୍ ସର୍ଫେସ୍ ଟୁ ଏୟାର୍ ମିସାଇଲ୍ (ଏୟାର୍ ଡିଫେନ୍ସ ସିଷ୍ଟମ୍) କ୍ରୟ ପାଇଁ ମଧ୍ୟ ମଞ୍ଜୁରୀ ମିଳିଥିବା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି । ଏହା ବ୍ୟତୀତ ୧୩୦୦ କୋଟି ଟଙ୍କାରେ ୧୫୫ ଏମ୍ଏମ୍ ଗୋଳା ବାରୁଦ କିଣିବାକୁ ମଧ୍ୟ ମଞ୍ଜୁରୀ ମିଳିଛି । ଏହା ମଧ୍ୟରୁ ୧୧,୪୮୬ କୋଟି ଟଙ୍କାର ଉପକରଣ ଓ ପ୍ଲାଟଫର୍ମ ଘରୋଇ କ୍ଷେତ୍ରରୁ କିଣାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, ୬ ଦିନ ପୂର୍ବେ ପ୍ରତିରକ୍ଷା ମନ୍ତଣାଳୟ ଅନ୍ୟ ଏକ ବଡ଼ ସଉଦାକୁ ମଞ୍ଜୁୂରୀ ପ୍ରଦାନ କରିଥିଲା । ଏଥିରେ ସେନା ପାଇଁ ୭,୫୨୩ କୋଟି ଟଙ୍କା ମୂଲ୍ୟର ୧୧୮ଟି ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ୍ (ଏମ୍ବିଟି) ଅର୍ଜୁନ କିଣାଯିବ ।