କେନ୍ଦ୍ରାପଡା: ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳ ମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ବସା ଚିହ୍ନଟ ପକ୍ରିୟା ଜାରି ରହିଛି । ଭିତରକନିକା ଏସିଏଫ୍ ମାନସ କୁମାର ଦାସଙ୍କ ନେତୃତ୍ବରେ ବନ କର୍ମଚାରୀମାନେ ଭିତରକନିକା ନଦୀ ନାଳ ସମେତ ଭିତରକନିକା ଜଙ୍ଗଲରେ କୁମ୍ଭୀରମାନଙ୍କ ବସାକୁ ଚିହ୍ନଟ କରୁଛନ୍ତି । ଏଥିସହ ଜୁଆର ପାଣି ମାଡି ଯାଇଥିବା କୁମ୍ଭୀର ବସାରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ଛୁଆ ଫୁଟାଇବା ପାଇଁ ଡାଙ୍ଗମାଳସ୍ଥିତ କୁମ୍ଭୀର ପ୍ରଜନନ କେନ୍ଦ୍ରରେ ପକ୍ରିୟା ଆରମ୍ଭ ହୋଇଛି । ପ୍ରତିବର୍ଷ ମଇ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ଦୀର୍ଘ ୩ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ । ମାଆ କୁମ୍ଭୀର ଅଣ୍ଡା ଦେବା ପାଇଁ ନିରାପଦ ସ୍ଥାନ ଖୋଜିଥାଏ । ନାଳଠୁ ଉଚ୍ଚା ସ୍ଥାନରେ ବସା କରିଥାଏ । ଖରଖରି ପତ୍ର ଓ କାଠି କୁଟାକୁ ସଂଗ୍ରହ କରି ୨ ଫୁଟ ଉଚ୍ଚର ଗଦା କରିଥାଏ । ଗଦା ଉପରେ କୁମ୍ଭୀର ଅଣ୍ଡା ଦେବା ପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ । ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ ।










