ହାଇଦ୍ରାବାଦ: ଆସନ୍ତା ଗୁରୁବାର ତେଲେଙ୍ଗାନା ବିଧାନସଭା ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ମୋଟ ୨୨୯୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ୁଅପରାଧିକ ମାମଲା ବିଚାରାଧୀନ ରହିଛି ବୋଲି ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ ରିଫର୍ମସ) ରିପୋର୍ଟରେ ଉଲ୍ଲେଖ କରାଯାଇଛିି । ଏମାନଙ୍କ ମଧ୍ୟରେ ଅଧିକାଂଶ କଂଗ୍ରେସ ଓ ବିଜେପି ପ୍ରାର୍ଥୀ ବୋଲି କୁହାଯାଇଛି ।
କଂଗ୍ରେସର ୭୦ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ ୫୧ ପ୍ରତିଶତ ମାମଲା ଗୁରୁତର ହୋଇଥିବାବେଳେ ବିଜେପିର ୭୧ ପ୍ରତିଶତ ପ୍ରାର୍ଥୀ (୩୫୩) ଏହି ତାଲିକାଭୁକ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ବିଚାରାଧୀନ ରହିଛି । ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ର ୨୪ ପ୍ରତିଶତ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ରହିଥିବାବେଳେ ସ୍ୱାଧୀନ ପ୍ରାର୍ଥୀଙ୍କ ରେକର୍ଡ (୧୪ ପ୍ରତିଶତ) ସବୁଠାରୁ ଉନ୍ନତ ବୋଲି କୁହାଯାଇଛି । ଅପରପକ୍ଷରେ ଏକ ଚତୁର୍ଥାଂଶ ପ୍ରାର୍ଥୀ କୋଟିପତି ବୋଲି ରିପୋର୍ଟରୁ ଜଣାପଡିଛି । ତେଲେଙ୍ଗାନାର ୮୧ ପ୍ରତିଶତ ନିର୍ବାଚନମଣ୍ଡଳୀକୁ ସମ୍ବେଦନଶୀଳ (ରେଡ୍ ଆଲର୍ଟ) ଘୋଷଣା କରାଯାଇଛି ।