29.1 C
Bhubaneswar
Friday, May 8, 2026
Homeଓଡିଶାରାଜ୍ୟରେ ହୁ-ହୁ ହୋଇ ବଢିଚାଲିଛି ଅପରାଧ: ଭକ୍ତ

ରାଜ୍ୟରେ ହୁ-ହୁ ହୋଇ ବଢିଚାଲିଛି ଅପରାଧ: ଭକ୍ତ

ଭୁବନେଶ୍ୱର: ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପୁରା କ୍ୟାବିନେଟ ନିର୍ବାଚନ ଫଳାଫଳର ଖୁସିରେ ଝାଲମୁଢି ଖାଇ ଖୁସି ମନାଉଥିବା ବେଳେ ରାଜ୍ୟର ନିରୀହ ଲୋକମାନେ ଅପରାଧର ଶିକାର ହେଊଛନ୍ତି। ମବ୍ ଲିଞ୍ଚିଂ ପରେ ମବ୍ ଲିଞ୍ଚିଂ ଓ ହତ୍ୟା ଦୁଷ୍କର୍ମ ଭଳି ଘଟଣାମାନ ଓଡିଶାକୁ ଦୋହଲାଇ ଦେଇଛି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ଅପରାଧଗୁଡିକ ଓଡିଶାକୁ ସମଗ୍ର ଦେଶରେ ଏକ ଲଜ୍ୟାଜନକ ସ୍ଥିତିରେ ପହଞ୍ଚାଇଥିବା ବେଳେ ମଉଜ, ମଜଲିସରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ ତଥା ପୂରା କ୍ୟାବିନେଟ । ଗୁରୁବାର ଅପରାହ୍ନରେ ଭୁବନେଶ୍ୱରର ବାଲିଅନ୍ତା ଥାନା ଅନ୍ତର୍ଗତ ବେଣୁପୁର ଅଞ୍ଚଳରେ ଦୁଇଜଣ ଯୁବତୀଙ୍କ ଉପରେ ଅସଦାଚରଣ କରାଯାଇଥିବା ଅଭିଯୋଗରେ ସ୍ପଷ୍ଟ ଦିବାଲୋକରେ ସ୍ଥାନୀୟ ଲୋକଙ୍କ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।

ଶ୍ରୀ ଦାସ୍ ଏକ ପ୍ରେସ ବିବୃତିରେ ଅଭିଯୋଗ କରିଛନ୍ତି ଯେ ଏହି ଘଟଣା ସମଗ୍ର ଦେଶରେ ଏକ ନିନ୍ଦନୀୟ ସ୍ଥିତି ଊପୁଜାଇଛି। ଓଡିଶାରେ ଏକ ଜଙ୍ଗଲରାଜ୍ ଚାଲିଛି। ପୂର୍ବରୁ ରାଜ୍ୟରେ ଏଭଳି ବହୁ ଅମାନବୀୟ ଘଟଣା ଘଟିଚାଲିଥିଲେ ମଧ୍ୟ ରାଜ୍ୟର ଡବଲ ଇଂଜିନ ସରକାର ଏଗୁଡିକୁ ନିୟନ୍ତ୍ରଣ କରିବାକୁ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ପୂରା ହାତବାନ୍ଧି ବସିଛନ୍ତି। ଦୁଷ୍କର୍ମ ଅଭିଯୋଗ(ତଦନ୍ତ ସାପେକ୍ଷ) ଘଟଣାରେ ସ୍ପଷ୍ଟ ଦିବାଲୋକରେ ଜଣଙ୍କୁ ହତ୍ୟା କରାଯାଇପାରେ, ଏହା ହିଁ ସୂଚାଇ ଦେଇଛି ଯେ ରାଜ୍ୟରେ କିଭଳି ଆଇନ, ଶୃଙ୍ଖଳା ପରିସ୍ଥିତି ଉପୁଜିଛି। କିଛି ଦିନ ତଳେ କଣାସ ବର୍ବର ଆକ୍ରମଣ ଘଟଣା ଯେଊଁଥିରେ କିଛି ଯୁବକ ଅନ୍ୟ ଜଣେ ଯୁବକଙ୍କ ଶରୀର ଉପରେ ବୁଲେଟ ଗାଡି ଚଢାଇ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ସେହିଭଳି ଅନ୍ୟ ଏକ ଘଟଣାରେ ଢେଙ୍କାନାଳ ଜିଲ୍ଲାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ଆକ୍ରମଣ କରି ସଂପୃକ୍ତ ଯୁବତୀ ଜଣଙ୍କୁ ଜଙ୍ଗଲରେ ଫୋପାଡି ଦେଇ ଚାଲିଥିଲେ। ରାଜ୍ୟରେ ନାରୀମାନଙ୍କ ଉପରେ ଉଦବେଗଜନକ ଅତ୍ୟାଚାର ଓ ଶାସକଦଳର ଛତ୍ରଛାୟାରେ ଏହି ଗୁଣ୍ଡାରାଜ୍ ଚାଲିଛି।

ତଥ୍ୟ ଅନୁଯାୟୀ ଜୁନ୍ 2024 ରୁ ଫେବୃଆରୀ 2026 ମଧ୍ୟରେ ରାଜ୍ୟରେ 54ଟି ସାମ୍ପ୍ରଦାୟିକ ଦଙ୍ଗା ଏବଂ 7ଟି ମବ୍ ଲିଞ୍ଚିଂ ଘଟଣା ଘଟିଛି। ତିନିଦିନ ତଳେ କଳାହାଣ୍ଡି ଜୟପାଟଣା ବ୍ଲକ୍ ଅଧୀନସ୍ଥ ତଳଗୁଡ଼ା ଗ୍ରାମର ଜଣେ ଦଳିତ ଯୁବକଙ୍କୁ ଗୋରୁ ଚମଡ଼ା କାରବାର କରୁଥିବା ଅଭିଯୋଗରେ ବଜରଙ୍ଗ ଦଳର କର୍ମୀମାନେ ପିଟିପିଟି ଦରମରା କରିବା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜାନୁଆରୀ 2026ରେ ବାଲେଶ୍ବର ଜିଲ୍ଲାରେ ଗୋରୁ ଚୋରା ଚାଲାଣ ସନ୍ଦେହରେ ଜଣେ 35 ବର୍ଷୀୟ ମୁସଲିମ ବ୍ୟକ୍ତି ସେଖ ମୁକଦର ମହମ୍ମଦଙ୍କୁ ଏକ ଏକ ମବ୍ ଲିଞ୍ଚିଂରେ ହତ୍ୟା କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ଜଣେ 14 ବର୍ଷୀୟ ବାଳକକୁ ଛେଳି ଚୋରି କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିଲା; ୧୧ ଜଣଙ୍କୁ ଗିରଫ କରାଯାଇଥିଲା। ପଶ୍ଚିମବଙ୍ଗର ଜଣେ ପ୍ରବାସୀ ଶ୍ରମିକଙ୍କୁ ସମ୍ବଲପୁରରେ ଏକ ମୋବ୍ ଦ୍ୱାରା ପିଟି ପିଟି ହତ୍ୟା କରାଯାଇଥିଲା। ସେ ଜଣେ ଅବୈଧ ବାଂଲାଦେଶୀ ପ୍ରବାସୀ ବୋଲି ଅଭିଯୋଗ କରି ଏହି ଆକ୍ରମଣ କରିଥିଲେ। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ଜଣେ ସରକାରୀ ରେଳ ପୋଲିସ (GRP) କନଷ୍ଟେବଳଙ୍କୁ କିଛି ଲୋକ ପିଟି ପଟିପିଟି ହତ୍ୟା କରିଥିଲେ। ଗତବର୍ଷ ଜୁନ୍‌ ମାସରେ ଗଂଜାମ ଜିଲ୍ଲାର ଖରୀଗୁମ୍ମା ଗ୍ରାମରେ ଦୁଇଜଣ ଦଳିତ ଯୁବକଙ୍କୁ ଗୋରୁଚାଲାଣ ଅଭିଯୋଗରେ ଯେପରି ସେମାନଙ୍କ କାନ୍ଧରେ ହଳ ଲଗାଇ ସେମାନଙ୍କ ମୁଣ୍ଡର ଅଧାଚୁଟି କାଟି ନର୍ଦ୍ଦମା ପାଣି ପିଆଇବା ସହ ଘାସ ଖାଇବାକୁ ବାଧ୍ୟ କରାଗଲା, ତାହା ଯେ କୌଣସି ସଭ୍ୟ ସଭାଜ ପାଇଁ ଲଜ୍ଜା।

ମହିଳାଙ୍କ ବିରୋଧରେ ରାଜ୍ୟରେ ଗତ ଜୁନ୍ ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ୩୭,୦୦୦ ରୁ ଅଧିକ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ୨୦୨୫ ମସିହାରେ ଏହି ଅପରାଧ ୫.୬% ବୃଦ୍ଧି ପାଇଛି। ରାଜ୍ୟବ୍ୟାପୀ ବଳାତ୍କାର ମାମଲା ବୃଦ୍ଧି ପାଇଥିବାବେଳେ ଭୁବନେଶ୍ୱର ଭଳି ସହରାଞ୍ଚଳରେ ତୀବ୍ର ବୃଦ୍ଧି ଘଟିଛି। ବାଲେଶ୍ୱର, ଢେଙ୍କାନାଳ, ଦେବଗଡ଼, ରାୟଗଡ଼ା,ପୁରୀ,ମୟୁରଭଞ୍ଜ ଓ ସମ୍ବଲପୁର ଭଳି ଜିଲ୍ଲାଗୁଡିକରେରେ ଏଭଳି ଘଟଣା ବୃଦ୍ଧି ପାଇବା ସୂଚିତ କରୁଛି। ଏହି ଘଟଣାଗୁଡ଼ିକରୁ ସ୍ପଷ୍ଟ ଜଣା ପଡୁଛି ଯେ ରାଜ୍ୟରେ ଏହି ବିଜେପି ଶାସନରେ କିଭଳି ଏକ ଭୟର ବାତାବରଣ ଓ ଅରାଜକତାର କଳା ଅଧ୍ୟାୟ ସୃଷ୍ଟି କରିଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍କଟ ଆକାରର ଧାରଣ କରିଛି ଏବଂ ରାଜ୍ୟର ଡବଲ ଇଂଜିନ ସରକାର ଏଥିରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ଗତ ମାସକରୁ ଦୁଇ ମାସ ମଧ୍ୟରେ ରାଜ୍ୟରେ ଆଶାତୀତ ଭାବେ ଅପରାଧ ବୃଦ୍ଧି ପାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ତୁରନ୍ତ ସୁଧାର ଆଣିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ରୋଜ୍ୟ ସରକାର ତୁରନ୍ତ କୌଣସି ଠୋସ୍ ପଦକ୍ଷେପ ନ ନେଲେ ଏହା ଆଗକୁ ଆହୁରି ବଢିବ। ତେଣୁ ସରକାର ତୁରନ୍ତ ଦୃଷ୍ଟି ଦେବାକୁ ରାଜ୍ୟ କଂଗ୍ରେସ ସଭାପତି ଶ୍ରୀ ଦାସ୍ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking