ଭୁବନେଶ୍ୱର: ରାଜ୍ୟରେ ଅପରାଧ ଉପର ମୁହାଁ ହୋଇଥିଲା ବେଳେ ମନୋବଳ ହରାଇ ପୋଲିସ କୋମାରେ । ବ୍ରହ୍ମପୁରରେ ବିଚ୍ ବଜାରରେ ଅପରାଧୀମାନେ ଯେଉଁଭଳି ଭାବେ ଅମାନବୀୟ କାଣ୍ଡ ରଚିଲେ ତାହା ରାଜ୍ୟବାସୀଙ୍କ ମୁଣ୍ଡ ତଳକୁ କରିଛି । ପ୍ରତ୍ୟେକ ଦିନ ରାଜ୍ୟବାସୀ କେବଳ ଗୁଣ୍ଡାରାଜ ଓ ଅରାଜକତାର ଚିତ୍ର ଦେଖୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି ।ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ରାଜ୍ୟରେ ଆଇନଶୃଙ୍ଖଳାର ଚରମ ଅଧୋଗତିକୁ ନେଇ ବିଜେପି ସରକାରକୁ କଡା ନିନ୍ଦା କରିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି, ପୋଲିସର ନିଷ୍କି୍ରୟତା ଓ ଶାସକ ଦଳର ପ୍ରୋତ୍ସାହନରେ ଗଂଜାମ ଜିଲ୍ଲାରେ ଗତ ଏକମାସରେ ୧୦ରୁ ଅଧିକ ହତ୍ୟାକାଣ୍ଡ ସଂଗଠିତ ହୋଇଛି । ଗତ ସୋମବାର ଦିନ ଗିରିରୋଡରେ ଘଟିଥିବା ବର୍ବୋରଚିତ ଆକ୍ରମଣର ଦୁଇ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପି ବିଧାୟକଙ୍କ ସହଯୋଗୀ ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରିବାକୁ ସାହାସ ଜୁଟାଇ ପାରୁନାହିଁ । ବ୍ରହ୍ମପୁର ପୋଲିସ ବିଜେପି ଦଳ ଦ୍ୱାରା ଏଭଳି ଚାପଗ୍ରସ୍ତ ଯେ, ପ୍ରତ୍ୟେକ ଦିନ ବିଧାୟକଙ୍କ ଘରେ ଏସ୍ଡିପିଓଙ୍କୁ ହାଜିରା ଦେବାକୁ ପଡୁଛି । ସାଧାରଣ ଲୋକଟିଏ ଥାନାକୁ ଗଲେ ପୋଲିସ ପ୍ରଥମେ ତାଙ୍କୁ ପଚାରୁଛି ତୁମେ କେଉଁ ଦଳର ସମର୍ଥକ । ଏଫ୍ଆଇଆରରେ ନାଁ ଥିଲେ ମଧ୍ୟ ଶାସକ ଦଳର ଇଙ୍ଗିତରେ ତଦନ୍ତରେ ଅଭିଯୁକ୍ତଙ୍କ ନାଁ କଟାଯାଉଛି । ଏଥିପାଇଁ ଆଜି ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲା ରାଜ୍ୟର କ୍ରାଇମ ହବ୍ ଭାବେ ଅପଖ୍ୟାତି ମୁଣ୍ଡାଇଛି ।
ଶ୍ରୀ ସାହୁ କହିଛନ୍ତି ଯେ, ଡବଲ ଇଂଜିନ ସରକାର କ୍ଷମତାକୁ ଆସିବା ପରେ ସାରା ରାଜ୍ୟରେ ବିଜେପି ନେତା ଓ ଅପରାଧୀଙ୍କ ମଧ୍ୟରେ ଏକ ଅନୈତିକ ବୁଝାବଣା ହୋଇ ପୋଲିସ ଉପରେ ଚାପ ପ୍ରୟୋଗ କରାଯାଉଛି । ଫଳସ୍ୱରୁପ ପୋଲିସ ମନୋବଳ ଭାଙ୍ଗିଯାଇଛି । ଯାହାର ଚିତ୍ର ପ୍ରତ୍ୟେକ ଦିନ ରାଜ୍ୟବାସୀ ଦେଖୁଛନ୍ତି । ନୟାଗଡରେ ଥାନା ମଧ୍ୟରେ ପୋଲିସକୁ ଆକ୍ରମଣ, ଭୁବନରେ ଥାନା ଆଇଆଇସିଙ୍କୁ ଆକ୍ରମଣ କରି ବାଲି ମାଫିଆମାନେ ଗାଡି ଛଡାଇନେବା, ଟାଙ୍ଗିରେ ପୋଲିସ ଉପସ୍ଥିତିରେ ପ୍ରଶାସନିକ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ଘଟଣା ଦେଖିବାକୁ ମିଳିଛି । ପିଏସ୍ଓଙ୍କ ବନ୍ଧୁକ ଛଡାଇ ବିଜେପି ବିଧାୟକ ଫାଙ୍କା ଗୁଳିଚାଳନା କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଅପରାଧୀଙ୍କୁ ଏନ୍କାଉଣ୍ଟର ପାଇଁ ଯେଉଁଦିନ ପୋଲିସ ମହାନିଦେ୍ର୍ଦଶକ କହୁଛନ୍ତି, ସେହିଦିନ ହିଁ ବ୍ରହ୍ମପୁରରେ ଏହିଭଳି ବର୍ବୋଚିତ କାଣ୍ଡ ଘଟୁଛି ।ଡ. ମହାନ୍ତି କହିଥିଲେ ଯେ, ନୟାଗଡରେ ଦୈନିକ ଖବରକାଗଜ ସକାଳର ସାମ୍ବାଦିକଙ୍କ ଉପରେ ମିଥ୍ୟା ଦୁଷ୍କର୍ମ ମାମଲା ରୁଜୁ ଓ ଖବରକାଗଜ ପୋଡିବା ଦୁର୍ଭାଗ୍ୟଜନକ । ବିଜେପି ନେତା ଅରିନ୍ଦମ ରାୟ, ସାମ୍ବାଦିକମାନଙ୍କ ପ୍ରତି ଯେଉଁ ଭାଷା ବ୍ୟବହାର କରୁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ, ବିଜେପି ଏହାକୁ ନେଇ ସ୍ପଷ୍ଟୀକରଣ ଦେଉ । ଶାସକ ବିଜେପି ଦଳ ନେତାମାନଙ୍କ ଦ୍ୱାରା ଆଜି ସାମ୍ବାଦିକ ଓ ସାମ୍ବାଦିକତା ବିପଦରେ । ବ୍ରହ୍ମପୁର ଓ ଗଂଜାମ ପୋଲିସ ଜିଲ୍ଲାକୁ ଅପରାଧୀଙ୍କ ହାତରେ ଟେକି ଦେଇଛନ୍ତି ଡବଲ ଇଂଜିନ ସରକାର । ପୋଲିସ ମହାନିଦେ୍ର୍ଦଶକ ତୁରନ୍ତ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରନ୍ତୁ ଯଦ୍ୱାରା ସାଧାରଣ ଲୋକ ପୋଲିସ ଉପରେ ଭରସା ରଖିପାରିବେ ।









