33.2 C
Bhubaneswar
Thursday, June 25, 2026
Homeଓଡିଶାନିଶା ନିବାରଣ କେନ୍ଦ୍ର ତଥ୍ୟ ମାଗିଲେ ସରକାର

ନିଶା ନିବାରଣ କେନ୍ଦ୍ର ତଥ୍ୟ ମାଗିଲେ ସରକାର

ଭୁବନେଶ୍ବର: ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଅନ୍ତେବାସୀଙ୍କ ସନ୍ଦେହ ଜନକ ମୃତ୍ୟୁ ଏଵଂ ଅନ୍ୟାନ୍ୟ କାର୍ୟ୍ୟକଳାପ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସଇପିଡି) ସମସ୍ତ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀ (ଡିଏସଏସଓ)ଙ୍କୁ ଜିଲ୍ଲାରେ କାର୍ୟ୍ୟକ୍ଷମ ସମସ୍ତ ନିଶା ନିବାରଣ କେନ୍ଦ୍ରର ସବିଶେଷ ତଥ୍ୟ ୭ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ଗତ ସପ୍ତାହରେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳର ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଏହା ସହ ଗତ କିଛି ଦିନ ମଧ୍ୟରେ ଅନ୍ୟ କେତେକ ନିଶା ନିବାରଣ କେନ୍ଦ୍ରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିବାରୁ ସରକାର ସମଗ୍ର ବ୍ୟବସ୍ଥାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ଅନେକ ଅନ୍ତେବାସୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି।

ବିଭାଗର ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ପରିଚାଳିତ ସମସ୍ତ ନିଶା ନିବାରଣ କେନ୍ଦ୍ରର ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ସଂଗ୍ରହ କରି ବିଭାଗକୁ ପଠାଇବାକୁ କୁହାଯାଇଛି। ଏହି ନିର୍ଦ୍ଦେଶକୁ ସର୍ବାଧିକ ଗୁରୁତ୍ୱ ଦେଇ ପାଳନ କରିବାକୁ ମଧ୍ୟ କୁହାଯାଇଛି। ରିପୋର୍ଟରେ ପ୍ରତ୍ୟେକ କେନ୍ଦ୍ରର ନାମ, ଠିକଣା, ଯୋଗାଯୋଗ ବିବରଣୀ, ପାଣ୍ଠିର ଉତ୍ସ, ଅନ୍ତେବାସୀ ଧାରଣ କ୍ଷମତା, ସୋସାଇଟି, ଚାରିଟେବୁଲ ଟ୍ରଷ୍ଟ କିମ୍ବା  କମ୍ପାନି ଆଇନ ଅନୁଯାୟୀ ପଞ୍ଜୀକରଣ ସ୍ଥିତି, ଏବଂ ମାନସିକ ସ୍ୱାସ୍ଥ୍ୟ ସେବା ଆଇନ-୨୦୧୭ ଅନୁଯାୟୀ ପଞ୍ଜୀକୃତ କି ନାହିଁ ସେ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି। ପଞ୍ଜୀକରଣ ବର୍ଷ ଓ ସମ୍ପର୍କିତ ବିବରଣୀ ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି। ଏହାସହ ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପଞ୍ଜୀକରଣ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍‌ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସଓପି) ପ୍ରସ୍ତୁତ କରାଯିବ। ଏଥିପାଇଁ ଜିଲ୍ଲାସ୍ତରରୁ ପରାମର୍ଶ ମଧ୍ୟ ଲୋଡ଼ାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking