28.1 C
Bhubaneswar
Saturday, July 27, 2024
Homeଓଡିଶାଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ:କୁଳପତି

ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ଉତ୍କଳ:କୁଳପତି

ଭୁବନେଶ୍ବର: ପ୍ରଗତିଶୀଳ ଶିକ୍ଷା ନୀତି ସହିତ ଉତ୍କର୍ଷର ସମର୍ପଣ ଭାବ ହିଁ ଜ୍ଞାନର ବିକାଶ ଏବଂ ଶୈକ୍ଷିକ ପରିବର୍ତ୍ତନ ଧାରା ଜାରି ରଖିବାରେ ସହାୟକ ହେବ, ଯାହା ଭବିଷ୍ୟତର ଦୃଷ୍ଟିଭଙ୍ଗୀକୁ ସୁନିଶ୍ଚିତ କରିବ। ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ୮୧ ବର୍ଷରେ ପାଦ ଥାପି ଥିବାବେଳେ ଆଗାମୀ ୧୯ ବର୍ଷରେ ଅଧିକ ସଫଳତା ପାଇବ ଓ ପରିବର୍ତ୍ତନ ଧାରାରେ ସାମିଲ ହେବ। ଏହା ସହ ୧୦୦ ବର୍ଷ ପୂରଣ ଲାଗି ନିରନ୍ତର ପ୍ରତିବଦ୍ଧତା ଜାରି ରଖି ବିଶ୍ବସ୍ତରରେ ନିଜର ସ୍ବତନ୍ତ୍ରତା ବଜାୟ ରଖିବ। ଏହି ପ୍ରତିବଦ୍ଧତା ପରବର୍ତ୍ତୀ ପିଢ଼ିର ଗବେଷଣା ଏବଂ ନବସୃଜନକୁ ଆକାର ଦେବା ସାଙ୍ଗକୁ ବିଦ୍ୟାର୍ଥୀଙ୍କ ସ୍ବପ୍ନ ପୂରଣ କରିବାରେ ବିଶ୍ବବିଦ୍ୟାଳୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଶିକ୍ଷା, ଗବେଷଣା, ପ୍ରଯୁକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରାଯିବା ପାଇଁ ପ୍ରୟାସ ଜାରି ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ସର୍ବଦା ଗୁଣାତ୍ମକ ଶିକ୍ଷା ଓ ଗବେଷଣାକୁ ଗୁରୁତ୍ବ ଦେଉଛି ଏବଂ ଭବିଷ୍ୟତର ନେତୃତ୍ୱ ନେଉଥିବା ବିଦ୍ୟାର୍ଥୀ ସୃଷ୍ଟି କରୁଛି ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ୮୧ତମ ପ୍ରତିଷ୍ଠା ଦିବସ ଅବସରରେ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ କହିଛନ୍ତି ଯେ ବିଜ୍ଞାନ ଓ ଗବେଷଣା ଆମର ଅଗ୍ରଣୀ ନବସୃଜନ। ଏହା ମାନବ ଏବଂ ସମାଜ ମଧ୍ୟରେ ଅନେକ ପ୍ରକାରର ଆନ୍ତଃବିଷୟକ ସହୟୋଗକୁ ପ୍ରୋତ୍ସାହିତ କରିପାରିବ। ଏକ ଉତ୍ତମ ଏବଂ ସର୍ବାଙ୍ଗୀନ ଶିକ୍ଷା ହେଉଛି ସେହି ଶିକ୍ଷା ଯାହା ଉଭୟ ବିଜ୍ଞାନ ଏବଂ ମାନବତାକୁ ଦିଗଦର୍ଶନ ଦେଇଥାଏ। ଏହା କେବଳ ଜ୍ଞାନର ସେତୁ ନୁହେଁ ବରଂ ଆମର ଆନ୍ତଃସଂୟୁକ୍ତ ବିଶ୍ୱ ସମାଜର ଜ୍ଞାନ ଜଟିଳତାକୁ ମଧ୍ୟ ଖୋଜି ବାହାର କରିଥାଏ। ଆଜି ଗବେଷଣା ଏବଂ ନବସୃଜନ ଉପରେ ଗୁରୁତ୍ବ ଦିଆଯାଉଛି, ଯାହା ଗବେଷକଙ୍କୁ ପ୍ରୋତ୍ସାହିତ କରିବ ଏବଂ ଜ୍ଞାନର ସୀମାକୁ ଆଗକୁ ବଢ଼ାଇବ। ନୂତନ ଶିକ୍ଷା ନୀତି ବିଶ୍ବବିଦ୍ୟାଳୟ ନୈତିକ ମାନସିକତା ସୃଷ୍ଟି ଏବଂ ବିଜ୍ଞାନର ଉନ୍ନତି ଓ ମଣିଷର ଅଧ୍ୟୟନ ଉପରେ ଗୁରୁତ୍ୱ ଦେଉଥିବାରୁ ବିଶ୍ବବିଦ୍ୟାଳୟ ଏ ଦିଗରେ କାର୍ୟ୍ୟ କରିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ପ୍ରକାଶ କରିଛନ୍ତି।

ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ପ୍ରକାଶ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ବ୍ୟକ୍ତି ଓ ଅନୁଷ୍ଠାନର ପୁନଃ ଆବିଷ୍କାର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଡିପଫେକ, ଶିକ୍ଷାଦାନରେ ନୂତନ ପ୍ରଯୁକ୍ତି ବିଦ୍ୟା ବ୍ୟବହାର, ସର୍ଜନଶୀଳ ଜ୍ଞାନର ବିକାଶ ଆଦି ଉପରେ ବକ୍ତବ୍ୟ ରଖିଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ନବନୀତା ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କୁଳସଚିବ ଡ. କାହ୍ନୁଚରଣ ଧୀର ବିବରଣୀ ପାଠ କରିଥିଲେ। ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking