ଭୁବନେଶ୍ୱର : ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତାଗିଦ୍ କରାଯାଇଛି । ପୂର୍ବରୁ କିଛିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିବା ପରେ ତଳକୁ ଖସିଥିଲା । ଗତ ୧୪ ଦିନ ହେଲା ସଂକ୍ରମଣ ୨ ହଜାର ତଳେ ରହୁଥିବା ଦେଖାଯାଉଛି । ପଶ୍ଚିମ ଓଡ଼ିଶା ତୁଳନାରେ ଉପକୂଳ ଅଞ୍ଚଳରେ ସଂକ୍ରମଣ ହ୍ରାସ ପାଇଁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏହା ମଧ୍ୟରେ ଆଜି ୧୩୪୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୭୫ ଓ ସ୍ଥାନୀୟ ଅଞ୍ଚଳରୁ ୫୬୭ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୦ ଜଣ, ବାଲେଶ୍ୱରରୁ ୫୯ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୪୦ ଜଣ, ବଲାଙ୍ଗୀରରୁ ୩ ଜଣ, କଟକରୁ ୧୬୪ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧୯ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୯ ଜଣ, ଜଗତସିଂହପୁରରୁ ୭୮ ଜଣ, ଯାଜପୁରରୁ ୬୬ ଜଣ, କଳାହାଣ୍ଡିରୁ ୩ ଜଣ, କନ୍ଧମାଳରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୪୩ ଜଣ, କେଉଁଝରରୁ ୨୩ ଜଣ, ଖୋର୍ଦ୍ଧାରୁ ୪୭୭ ଜଣ, କୋରାପୁଟରୁ ୧୧ ଜଣ, ମାଲକାନଗିରିରୁ ୭ ଜଣ, ମୟୁରଭଞ୍ଜରୁ ୪୧ ଜଣ, ନବରଙ୍ଗପୁରରୁ ୨ ଜଣ, ନୟାଗଡ଼ରୁ ୨୮ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୫୫ ଜଣ, ରାୟଗଡ଼ାରୁ ୧୮ ଜଣ, ସମ୍ୱଲପୁରରୁ ୧୮ ଜଣ, ସୋନପୁରରୁ ୪ ଜଣ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ ପୁଲରୁ ୧୦୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୮୩ ହଜାର ୫୨୩ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୬୩ ହଜାର ୭୧୮ ରହିଥିବା ବେଳେ ୧୩ ହଜାର ୫୧୬ ଜଣ ଚିକିତ୍ସିତ ହେଉଛନ୍ତି ।