ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର୍ୟାକେଟ କାର୍ଯ୍ୟ କରୁଛି: ମନୋଜ ମହାପାତ୍ର
ର୍ୟାକେଟର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ
ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ର୍ୟାକେଟର ସଦସ୍ୟ
ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି
ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ଟଙ୍କା ବୋନସ ତ ଦେଲେ ନାହିଁ ବରଂ କଟନୀ ଛଟନୀ କରି ଚାଷୀମାନଙ୍କଠାରୁ ଓଲଟା ୧୦୦ ରୁ ୨୦୦ଟଙ୍କା ବୋନସ ନେଇ ଯାଉଛନ୍ତି
ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀ, ବେଆଇନ ଭାବେ ତାଲିକାରେ ଥିବା ରାଇସ ମିଲର୍ସ ମାଲିକଙ୍କ ବିରୁଦ୍ଧରେ ଫୋଜଦାରୀ ମାମଲା ରୁଜୁ କରାଯାଉ
ଭୁବନେଶ୍ୱର : ଓଡିଶା ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରରେ ବହୁ ପଛରେ ପଡିଯାଇଛି । ବିଜେଡି ସରକାରର ଚାଷୀମାରଣ ନୀତି କାରଣରୁ ଆଜି ରାଜ୍ୟର ଚାଷୀଙ୍କ ଆର୍ଥିକ ଅଭିବୃଦ୍ଧି ହୋଇନାହିଁ । ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ମଣ୍ଡି ଖୋଲିବାର ଘୋଷଣା କରିଲେ । ମାତ୍ର ଆଜି ସୁଦ୍ଧା ସମସ୍ତ ସ୍ଥାନରେ ମଣ୍ଡି ଖୋଲା ଯାଇପାରିଲା ନାହିଁ । ମଣ୍ଡିର ସୁପରିଚାଳନା ପାଇଁ ସିସି ଟିଭି କ୍ୟାମେରା ଲାଗି ପାରିଲା ନାହିଁ । ଏପରିକି ଧାନମଣ୍ଡିକୁ ଆସୁଥିବା ଚାଷୀମାନଙ୍କ ମୈାଳିକ ସୁବିଧା ପାଇଁ ଆବଶ୍ୟକୀୟ ସୁବିଧାର ବ୍ୟବସ୍ଥା ମଧ୍ୟ କରାଗଲା ନାହିଁ । କଟନୀ ଛଟନୀର ଶିକାର ହଲେ ଚାଷୀକୁଳ । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ଟଙ୍କା ବୋନସ ତ ଦେଲେ ନାହିଁ ବରଂ କଟନୀ ଛଟନୀ କରି ଚାଷୀମାନଙ୍କଠାରୁ ଓଲଟା ୧୦୦ ରୁ ୨୦୦ଟଙ୍କା ବୋନସ ନେଇ ଯାଉଛନ୍ତି । ‘ରାଜ୍ୟ ସରକାର-ବେପାରୀ-ମିଲର୍ସ’ ମଧୁଚନ୍ଦ୍ରିକା କାରଣରୁ ଲକ୍ଷ ଲକ୍ଷ ଚାଷୀ ଅଭାବୀ ବିକ୍ରିର ମଧ୍ୟ ଶିକାର ହେଲେ । ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ଧାନ କିଣା ଓ ମଣ୍ଡି ବ୍ୟବସ୍ଥା କାରଣରୁ ଆଜି ଲକ୍ଷ ଲକ୍ଷ କ୍ୱିଂଟାଲ ଧାନ କିଣା ଯାଇ ପାରୁନାହିଁ ଏବଂ ଶେଷରେ ନିରୀହ ଚାଷୀ ହନ୍ତସନ୍ତର ଶିକାର ହେଉଛନ୍ତି ବୋଲି ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଜ୍ୟରେ କେଉଁ ଭଳି ଅବ୍ୟବସ୍ଥିତ ଭାବେ ଧାନ ସଂଗ୍ରହ କରାଯାଉଛି ତାହା ୫-ଟି କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଜିଲ୍ଲା ଗଂଜାମ ହେଉଛି ଏହାର ପ୍ରକୃଷ୍ଠ ଉଦାହରଣ । ୩୪୬ଟି ରାଇସ ମିଲର୍ସ ଏବଂ ଧାନ ସଂଗ୍ରହ ପରିମାଣ ନିର୍ଦ୍ଧାରଣର ତାଲିକା କରି ଗଂଜାମ ଜିଲ୍ଲାପାଳ ଜିଲ୍ଲାରୁ ଧାନ ସଂଗ୍ରହ ପାଇଁ ଗତ ଡିସେମ୍ବର ୧୪ ତାରିଖ ଦିନ ନିର୍ଦ୍ଦେଶ ଦେଲେ । ତାଲିକାରେ ଅନିୟମିତତା ଓ ଭୁଲ୍ ଥିବା ଦର୍ଶାଇ ମିଲର୍ସ ଆସୋସିଏସନ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ସତ୍ୱେ କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ମିଲିଂ କ୍ଷମତା ଏବଂ ଆବଶ୍ୟକୀୟ ଗୋଦାମ ଘର ନଥିବା ସତ୍ୱେ ଏହି ତାଲିକାରେ ଥିବା କୁକୁଡାଖଣ୍ଡିସ୍ଥିତ ଦଣ୍ଡକାରିଣୀ ରାଇସ ମିଲ୍କୁ ୩୭,୧୮୬ କ୍ୱିଂଟାଲ ଏବଂ ଖଲିକୋଟସ୍ଥିତ ମଡର୍ଣ୍ଣ ରାଇସ ମିଲ୍କୁ ୫୯,୭୪୧ କ୍ୱଂଟାଲ ଧାନ ସଂଗ୍ରହ କରିବାକୁ କୁହାଯାଇଥିଲା । ବ୍ରହ୍ମପୁର ସମବାୟ ବ୍ୟାଂକର ସଭାପତି ଶିବରାମ ପାତ୍ର ହେଉଛନ୍ତି ଦଣ୍ଡକାରିଣୀ ରାଇସ ମିଲର ମାଲିକ ହୋଇଥିବାବେଳେ ଜିଲ୍ଲାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ଶାସକ ବିଜେଡିର ଜଣେ ନେତା ହେଉଛନ୍ତି ମଡର୍ଣ୍ଣ ରାଇସ ମିଲ୍ର ମାଲିକ । ଏହି ଦୁଇ ଜଣଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଓ ବିଜେଡି ସରକାରର କଣ ସଂପର୍କ ରହିଛି, ତାହା ସ୍ପଷ୍ଟ ହେବା ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଧାନ କିଣାରେ ବିଜେଡି ସରକାରର ଏକ ବ୍ୟବସ୍ଥିତ ର୍ୟାକେଟ କାର୍ଯ୍ୟ କରୁଛି । ଏହାର କ୍ୟାପଟେନ ଖୋଦ୍ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ଭାଇସ କ୍ୟାପଟେନ ସାଜିଛନ୍ତି ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ । ଏହି ର୍ୟାକେଟରେ ଶାସକ ବିଜେଡିର ନେତା ଓ କର୍ମୀ, କିଛି ବିଭାଗୀୟ କର୍ମଚାରୀମାନେ ଟିମର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଏହି ରାକେଟ ଜରିଆରେ ପ୍ରତି ବର୍ଷ ବିଜେଡି ସରକାର ୧୦୦୦ କୋଟି ଟଙ୍କାର ଦଳୀୟ ପାଂଠି ସଂଗ୍ରହ କରୁଛି । ଏହି ଦୁର୍ନୀତିର ତଦନ୍ତ ଭିଜିଲାନ୍ସ ଦ୍ୱାରା କରାଯାଉ ଏବଂ ଏଥିରେ ସଂପୃକ୍ତ ଥିବା ସମସ୍ତ ସରକାରୀ ଅଧିକାରୀ, ବେଆଇନ ଭାବେ ତାଲିକାରେ ଥିବା ରାଇସ ମିଲର୍ସ ମାଲିକଙ୍କ ବିରୁଦ୍ଧରେ ଫୋଜଦାରୀ ମାମଲା ରୁଜୁ କରିବାକୁ ଶ୍ରୀ ମହାପାତ୍ର ଦାବୀ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଏବଂ ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।