ନୂଆଦିଲ୍ଲୀ: ଚୀନ୍ରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସର ଜନ୍ମସ୍ଥାନ ଉହାନ୍ରେ ଫଶି ରହିଥିବା ୪୦୦ ଭାରତୀୟଙ୍କୁ ଧରି ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନ ଆଜି ଅପରାହ୍ଣରେ ଯାଇ ଚୀନର ଉହାନ୍ରେ ପହଞ୍ଚିଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଏହି ବିମାନରେ ଉହାନ୍ରେ ଫଶିଥିବା ୪୦୦ ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଉଡ଼ାଣ ଭରିବ। ଏୟାର ଇଣ୍ଡିଆର ଏହି ସ୍ୱତନ୍ତ୍ର ବିମାନରେ ଏକ ପାଞ୍ଚ ଜଣିଆ ଡାକ୍ତରୀ ଦଳ ସହ ପର୍ୟ୍ୟାପ୍ତ ପରିମାଣର ମାସ୍କ ସହ ସ୍ୱତନ୍ତ୍ର ପୋଷାକ, ଜରୁରୀ ମେଡିକାଲ ଉପକରଣ, ଆବଶ୍ୟକୀୟ ଔଷଧ ସହ ପ୍ୟାକେଟ ଖାଦ୍ୟ ଆଦି ମହଜୁଦ ରହିଥିବା ଏୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ ଲୋହାନୀ ଗଣମାଧ୍ୟମକୁ କହିଛନ୍ତି।
ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସି ଏହି ବିମାନଟି ପହଞ୍ଚିବା ପରେ ଏଥିରେ ଆସିଥିବା ଭାରତୀୟମାନଙ୍କର ଆଉଥରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବୈଦେଶିକ ମନ୍ତ୍ରାଳୟ ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଯାଇଛି।ଉହାନ୍ରୁ ୪୦୦ ଯାତ୍ରୀଙ୍କୁ ଧରି ଏହି ବିମାନ ଭାରତ ଅଭିମୁଖେ ଉଡ଼ାଣ ଭରି ବିଳମ୍ବିତ ରାତି ସୁଦ୍ଧା ଆସି ନୂଆଦିଲ୍ଲୀରେ ପହଞ୍ଚିବ।
https://onakhabar.com/2020/01/31/coronavirus-6/