ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ଉପରମୁହାଁ ହୋଇଛି । ଦିଲ୍ଲୀ ସମେତ କେତେକ ରାଜ୍ୟରେ ସଂକ୍ରମଣ ବଢ଼ିବା ଆରମ୍ଭ କରିଛି । ଗତ ୨୪ ଘଣ୍ଟାରେ ଦେଶରେ କରୋନା ସଂକ୍ରମଣ ୩ ହଜାର ପାର୍ କରିଛି । ଆଗକୁ ଚତୁର୍ଥ ଲହର ଆଶଙ୍କା କରାଯାଉଥିବାବେଳେ ସଂକ୍ରମଣ ମଧ୍ୟ ବଢ଼ିବା ସମ୍ଭାବନା ରହିଛି । ତେବେ ଓଡ଼ିଶାର ସ୍ଥିତି ବର୍ତ୍ତମାନ ଭଲ ଅଛି । ଆଗକୁ ମଧ୍ୟ କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର କହିଛନ୍ତି ଯେ, ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଲେ ୩ରୁ ୪ ସପ୍ତାହ ପରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥାଏ ।
କରୋନାର ତିନୋଟି ଲହରରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଆଗକୁ ବିପଦ ରହିଛି । ତେବେ ରାଜ୍ୟ ସରକାର କୋଭିଡ୍ର ମୁକାବିଲା ପାଇଁ ସବୁ ପ୍ରକାର ପ୍ରୋସେସକୁ ଆପଣାଇଛନ୍ତି । ସ୍ୱାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ ରହିଛି । ଆମ ପାଖରେ ଔଷଧ ଓ ଅକ୍ସିଜେନ୍ ମଧ୍ୟ ମହଜୁଦ୍ ରହିଛି । ରାଜ୍ୟ ସରକାର କରୋନା ସହ ଲଢେଇ ପାଇଁ ପ୍ରସ୍ତୁତ ରହିଛନ୍ତି । ସେ ଆହୁରି କହିଛନ୍ତି, ସ୍ଥିତି ଉପରେ ନଜର ରଖାଯାଇଛି ।
ସବୁ ଜିଲ୍ଲାକୁ ସ୍ଥିତି ଉପରେ କଡ଼ା ନଜର ରଖିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏବେ ଜିଲ୍ଲାଗୁଡିକରେ ସଂକ୍ରମଣ ୧୦ରୁ ୨୦ ଭିତରେ ରହିଛି । ଆମେ ଭଲ ସ୍ଥିତିରେ ଅଛୁ । ସଂକ୍ରମଣ ବଢିଲେ ହସ୍ପିଟାଲ ତୁରନ୍ତ ଖୋଲାଯିବ । ଟିକାକରଣ ବଢ଼ାଯାଉଛି । ସଂକ୍ରମଣ ରୋକିବାକୁ ସମସ୍ତଙ୍କୁ କଟକଣା ମାନିବାକୁ ପଡ଼ିବ । ଭିଡ଼ ସ୍ଥାନରେ ମାସ୍କ ପିନ୍ଧନ୍ତୁ । ସାମାଜିକ ଦୂରତା ଅବଲମ୍ବନ କରନ୍ତୁ । ଦରକାର ନ ଥିଲେ ଘରୁ ବାହାରକୁ ଯାଆନ୍ତୁ ନାହିଁ ବୋଲି ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।