ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି କୋରୋନା ସଂକ୍ରମଣ । ବିଗତ କିଛି ଦିନ ହେଲା ଦୈନିକ ୧୦ ହଜାରରୁ କମ୍ ପଜିଟିଭ ମାମଲା ଚିହ୍ନଟ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ୭,୨୧୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୬,୧୬୮ ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଦିନକରେ ୯,୬୫୧ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୮,୬୫,୦୧୬ରେ ପହଞ୍ଚିଛି ।
ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୬,୭୪୫ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୯୮% ରହିଛି । ଏବେ ସୁଦ୍ଧା ୫,୨୭,୯୬୫ ହଜାରରୁ ଅଧିକ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏବେ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ ଦିଆଯାଉଛି ।
ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ୟ୍ୟନ୍ତ ୨୧୩ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୫,୮୩,୮୧୫ ଜଣଙ୍କୁ ଟିକା ଦିଆଯାଇଛି । ପ୍ରତିଦିନ ଦେଶରେ ୨୨ ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ସୂଚନା ଦେଇଛନ୍ତି । କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ ୧୫ରୁ ‘କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର ୩୦ ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୧୮ ବର୍ଷ ଏବଂ ୭୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।