26.1 C
Bhubaneswar
Friday, May 23, 2025
Homeଓଡିଶାଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ : ଆଇସୋଲେସନ ସେଣ୍ଟରରେ ନରହି ଗ୍ରାମରେ ବୁଲୁଥିଲେ...

ଦେବଗଡ଼ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ : ଆଇସୋଲେସନ ସେଣ୍ଟରରେ ନରହି ଗ୍ରାମରେ ବୁଲୁଥିଲେ ସଂକ୍ରମିତ ବ୍ୟକ୍ତି

ଦେବଗଡ଼ : ସାରା ଦେଶରେ କରୋନା ସଂକ୍ରମଣକୁ ନେଇ ଜନ ସାଧାରଣ ଆତଙ୍କିତ ଥିବା ବେଳେ ଦେବଗଡ଼ ଜିଲ୍ଲାରେ ଆଜି ପ୍ରଥମ କରୋନା ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହୋଇଛି । ଏହା ଜଣା ପଡିବା ପରେ ଜିଲ୍ଲାରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । କରୋନା ସଂକ୍ରମଣ ଚିହ୍ନଟ ବ୍ୟକ୍ତି ଜଣକ ତିଲେଇବଣୀ ବ୍ଲକ୍ କଲଣ୍ଡା ପଞ୍ଚାୟତ ଅନ୍ତର୍ଗତ ବାସୁଦେବପୁର ଗ୍ରାମର ବୋଲି ଜଣାପଡ଼ିଛି । ସେ ଜଣେ ଟ୍ରକ ଚାଳକ ହୋଇଥିବା ବେଳେ ଗତ ୨୫ ତାରିଖ ଦିନ କଲିକତାରୁ ଟ୍ରକ୍ ଯୋଗେ ନିଜର ଗ୍ରାମକୁ ଫେରିଥିଲେ । ଗ୍ରାମକୁ ଫେରିବା ପରେ ୨୭ ତାରିଖ ଦିନ ସେ ନିଜେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ । ଉକ୍ତ ଦିନ ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଆଜି କରୋନା ସଂକ୍ରମିତ ଥିବା ରିପୋର୍ଟ ଜଣାପଡ଼ିବା ପରେ ବିଶେଷଜ୍ଞ ଦଳ ଉକ୍ତ ଗ୍ରାମକୁ ଯାଇ ସଂକ୍ରମିତ ଟ୍ରକ୍ ଚାଳକଙ୍କୁ ଘରୁ ଆଣି ଦେବଗଡ କୋଭିଡ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରିଥିବା ଜଣାପଡିଛି । ଅନ୍ୟ ପକ୍ଷରେ ଉକ୍ତ ଅଞ୍ଚଳରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ନ ବାହାରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ତେବେ ସଂକ୍ରମିତ ବ୍ୟକ୍ତି ଜଣକୁ ସ୍ୱାବ ଟେଷ୍ଟ ପାଇଁ ନେବା ଦିନଠାରୁ ଆଇସୋଲେସନ ସେଣ୍ଟରରେ ନ ରଖିଥିବାରୁ ଏହାକୁ ନେଇ ଅଞ୍ଚଳରେ ଉଦବେଗ ପ୍ରକାଶ ପାଇଛି । ଉକ୍ତ ବ୍ୟକ୍ତି ଜଣକ ଘରେ ରହୁଥିବାରୁ ଆଉ କାହା କାହା ସଂସ୍ପର୍ଶରେ ଆସିଛି ସେ ନେଇ ପ୍ରଶାସନ ପକ୍ଷରୁ ତନାଘନା ଆରମ୍ଭ ହୋଇଛି । ତେବେ ବାହାର ରାଜ୍ୟରୁ ଆସି ଡାକ୍ତରଖାନାରେ ଯାଇ ସମ୍ଭାବ୍ୟ କରୋନା ସଂକ୍ରମଣ ନେଇ ନିଜ ସନ୍ଦେହ ଦୂର କରିବା ପାଇଁ ସ୍ୱାବ ନମୁନା ଦେଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଉକ୍ତ ସଂକ୍ରମିତ ବ୍ୟକ୍ତିକୁ ସରକାରୀ ଆଇସୋଲେସନ ସେଣ୍ଟରରେ ନ ରଖି ହୋମ କ୍ୱାରେଣ୍ଟାଇନ ପାଇଁ କିପରି ଅନୁମତି ଦେଲେ ସେ ନେଇ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ତେବେ ଆଗାମୀ ଦିନରେ ଦେବଗଡ ଜିଲ୍ଲାରେ କରୋନା ସଂକ୍ରମଣର ଆଶଙ୍କା ବୃଦ୍ଧି ପାଇବା ନେଇ ଜନସାଧାରଣ ଆତଙ୍କିତ ହୋଇପଡ଼ିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking