ଭୁବନେଶ୍ୱର: ପଞ୍ଚାୟତ ଓ ପୌର ନିର୍ବାଚନ ପରେ ରାଜ୍ୟରେ ସମବାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଜୁନ୍ ମାସ ୧୯ ଓ ୨୬ ତାରିଖରେ ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଯେଉଁଥିରେ ସୋସାଇଟିର କମିଟି ସଦସ୍ୟମାନଙ୍କୁ ବଛାଯିବ । ଏନେଇ ରାଜ୍ୟ ସମବାୟ ନିର୍ବାଚନ କମିଶନ ମାର୍ଚ୍ଚ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ଜଣାଇଥିବା ବେଳେ ଆଜି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜରିଆରେ ଏହାକୁ ଘୋଷଣା କରାଯାଇଛି । ସୂଚନା ମୁତାବକ ରାଜ୍ୟର ପ୍ରାଥମିକ ସମବାୟ ସଂସ୍ଥାଗୁଡ଼ିକର କାର୍ଯ୍ୟକାଳ ୨୦୨୦ ମସିହାରୁ ଶେଷ ହୋଇସାରିଛି । ଏବେ ରାଜ୍ୟର ୭,୦୭୬ଟି ପ୍ରାଥମିକ ସମବାୟ ସଂସ୍ଥାରେ ନିର୍ବାଚନ ହେବ । ଏସବୁ ପ୍ରାଥମିକ ସମବାୟ ସଂସ୍ଥାରେ ପ୍ରାୟ ୩୦ଲକ୍ଷ ସଦସ୍ୟ ଅଛନ୍ତି । ସେମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ତାରିଖ ଘୋଷଣା ସରିଥିବାକୁ ଖୁବଶୀଘ୍ର ସବିଶେଷ କାର୍ଯ୍ୟସୂଚୀ ଘୋଷଣା ହେବ ।