ଶ୍ରୀନଗର: ସ୍କୁଲ୍ ସମୟରେ ହିଜାବ ପିନ୍ଧିବାଠାରୁ ଦୂରେଇ ରହିବା ପାଇଁ ବାରାମୁଳାର ଏକ ସ୍କୁଲ୍ ନିଜ ଷ୍ଟାଫ୍ଙ୍କୁ ସର୍କୁଲାର୍ ଜାରି କରିଥିବା ଜଣାପଡ଼ିବା ପରେ ବୁଧବାର କଶ୍ମୀରରେ ବିବାଦ ଦେଖାଦେଇଛି । ଭିନ୍ନକ୍ଷମ ପିଲାଙ୍କ ପାଇଁ ଆର୍ମି ତତ୍ତ୍ୱାବଧାନରେ ଏକ ଏନ୍ଜିଓ ଅଧୀନରେ ଚାଲିଥିବା ଡାଗର୍ ପରିବାର ସ୍କୁଲ୍ ପ୍ରନ୍ସିପାଲ୍ ଏପ୍ରିଲ୍ ୨୫ରେ ଏହି ସର୍କୁଲାର୍ ଜାରି କରିଥିଲେ ।
ବୁଧବାର ରାଜନୈତିକ ଦଳଗୁଡ଼ିକ ସର୍କୁଲାର୍କୁ ନେଇ ହୋହଲ୍ଲା କରିବା ପରେ ସର୍କୁଲାର୍ରେ ପରିବର୍ତ୍ତନ କରାଯାଇଛି ବୋଲି ସ୍କୁଲ୍ ପକ୍ଷରୁ ସୂଚନା ଦିଆଯାଇଛି । ସର୍କୁଲାର୍ ସାମ୍ନାକୁ ଆସିବାର ତୁରନ୍ତ ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ପ୍ରମୁଖ ମେହବୁବା ମୁଫ୍ତି ସର୍କୁଲାର୍କୁ ନିନ୍ଦା କରିବା ସହ ବିଜେପି ଜମ୍ମୁ-କଶ୍ମୀରରେ ଶାସନ କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଥିଲେ ।
ତେବେ ଅନ୍ୟ ବିଜେପି ଶାସିତ ରାଜ୍ୟରେ ବୁଲ୍ଡୋଜର୍ ଦ୍ୱାରା ସଂଖ୍ୟାଲଘୁଙ୍କ ଘର ଭଙ୍ଗାଯାଉଥିବା ବେଳେ ଏଠାରେ ସେମାନଙ୍କୁ ତାହା କରିବାକୁ ଅନୁମତି ଦିଆଯିବନି ବୋଲି ସେ ଟ୍ୱିଟ୍ କରି କହିଛନ୍ତି । ଅନ୍ୟପକ୍ଷରେ ନ୍ୟାସ୍ନାଲ୍ କନ୍ଫରେନ୍ସ ଉପସଭାପତି ଉମର ଅବ୍ଦୁଲ୍ଲା କହିଛନ୍ତି, କେନ୍ଦ୍ରଶାସିତ ଅଞ୍ଚଳରେ ଘୃଣାଭାବ ସୃଷ୍ଟି ପାଇଁ ଏହା ଏକ ଉଦ୍ୟମ । ରାଜନୀତି ପାଇଁ ଏହି ପରିବେଶ ସୃଷ୍ଟି କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।