ଭୁବନେଶ୍ୱର:ମହିଳା ଓ ଝିଅମାନଙ୍କୁ ସଙ୍ଗଠନରେ ସାମିଲ କରାଇ ଘଞ୍ଚ ଜଙ୍ଗଲରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ ନକ୍ସଲ । ଆଉ ଦେଇଥିଲେ ଯୌନ ନିର୍ଯାତନା । ନକ୍ସଲ କ୍ୟାମ୍ପରୁ ଗର୍ଭନିରୋଧକ ଓ ଗର୍ଭ ପରୀକ୍ଷା କିଟ୍ ମିଳିବା ପରେ ଏମିତି କିଛି ତଥ୍ୟ ସାମ୍ନାକୁ ଆସିଛି । ଏନେଇ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସ୍ପି ଏସ୍.ସୁଶ୍ରୀ । ଓଡ଼ିଶାର ରାଇଘର ଓ ଛତିଶଗଡ଼ ଗୋରିଆବନ୍ଧ ଜିଲ୍ଲାର ଶୋଭାଠାରେ ମନ୍ପୁରା (ଉଦନ୍ତି ) ନକ୍ସଲ ସଙ୍ଗଠନର ଗତିବିଧି ଥିବା ସୂଚନା ମିଳିଥିଲା । ଏହା ପରେ ଦୁଇଟି ଏସ୍ଓଜି ଟିମ୍ ରାଇଘର ଓ ଶୋଭା ଯାଇଥିଲେ । ତେବେ ବୁଧବାର ସକାଳ ପ୍ରାୟ ସାଢ଼େ ୯ଟା ଶୋଭାରେ ପହଞ୍ଚିଥିଲେ ସୁରକ୍ଷା କର୍ମୀ । ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଦେଖି ଗୁଳି ଚଳାଇଥିଲେ ।
ଏହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ହୋଇଥିଲା ଘମାଘୋଟ୍ ଗୁଳି ବିନିମୟ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଘଞ୍ଚ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ । ତା’ପରେ ଯବାନମାନେ ସର୍ଚ୍ଚ ଅପରେସନ୍ କରିଥିଲେ ।ସର୍ଚ୍ଚ ଅପରେସନ୍ ବେଳେ ଜଙ୍ଗଲରେ ନକ୍ସଲଙ୍କ ଏକ ଶିବିର ଠାବ କରିଥିଲେ । ଶିବିରରୁ ବହୁ ମାରଣାସ୍ତ୍ର ସହ ଆପତ୍ତିଜନକ ଜିନିଷ ମିଳିଛି । ବିପୁଳ ପରିମାଣର ଗର୍ଭନିରୋଧକ ମିଳିଛି । ଏଥିସହ ଗର୍ଭ ପରୀକ୍ଷା କିଟ୍ ଜବତ କରାଯାଇଛି । ଏଥିରୁ ଜଣାପଡୁଛି, କ୍ୟାମ୍ପରେ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ । ଝିଅଙ୍କୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିବା ଜଣାପଡୁଛି ବୋଲି ଏସ୍ପି କହିଛନ୍ତି । ତାଙ୍କ କହିବା ଅନୁସାରେ କ୍ୟାମ୍ପରେ ୨୦ରୁ ୨୫ ଜଣ ସଶସ୍ତ୍ର ନକ୍ସଲ ଥିଲେ ।
ସେଥିରେ ହାର୍ଡକୋର ନକ୍ସଲ କୋରମାଓ ସିସିଏମ୍ ମୂରଲୀ, ଏସ୍ସିଏମ କାର୍ତ୍ତିକ, ଏସ୍ସିଏମ୍ ନନ୍ଦ ଲାଲ୍, ଏସ୍ସିଏମ୍ ଗୁଡୁ, ଏସ୍ସିଏମ୍ ଆକାଶଙ୍କ ସମେତ ଅନ୍ୟମାନେ ଥିଲେ । ଏହି କ୍ୟାମ୍ପରେ ପୁରୁଷ ଓ ମହିଳାମାନେ ଥିଲେ । ପୂର୍ବରୁ ନବରଙ୍ଗପୁରରେ ଘଟିଥିବା ହତ୍ୟାକାଣ୍ଡରେ ଏମାନଙ୍କ ହାତ ଥିବା ଅନୁମାନ କରାଯାଉଛି । ପୋଷ୍ଟର ଓ ବ୍ୟାନର ଲଗାଇ ସାଧାରଣ ଲୋକଙ୍କ ସହିତ ଯୋଗାଯୋଗ କରୁଥିଲେ ବୋଲି ଏସ୍.ସୁଶ୍ରୀ କହିଛନ୍ତି ।