ଶ୍ରୀନଗର: ଜମ୍ମୁ-କଶ୍ମୀରର ପୁଞ୍ଚ୍ରେ ସେନା ଟ୍ରକ୍ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣର ଦୁଇଟି ଫଟୋ ମଙ୍ଗଳବାର ସାମ୍ନାକୁ ଆସିଛି। ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ସଂଗଠନ ପିପୁଲ୍ସ ଆଣ୍ଟି ଫାଶିଷ୍ଟ ଫ୍ରଣ୍ଟ୍ (ପିଏଏଫ୍ଏଫ୍) ଏହି ଫଟୋ ଜାରି କରିଛି । ଫଟୋ ଏପ୍ରିଲ୍ ୨୪ରେ ଜାରି କରାଯାଇଛି । ଏହା ଉପରେ ଆତଙ୍କୀ ସଂଗଠନ ଲେଖିଛି ‘ଶିକାର ଉପରେ ନଜର’ । ଏପ୍ରିଲ୍ ୨୦ରେ ପୁଞ୍ଚ୍ର ଭାଟା ଧୁରିୟନ୍ରେ ସେନା ଟ୍ରକ୍ ଉପରେ ଆକ୍ରମଣ ହୋଇଥିଲା ।
ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ । ପିଏଏଫ୍ଏଫ୍ ମୁଖପାତ୍ର ତନ୍ବୀର ଅହମ୍ମଦ ରାଠୋର ପକ୍ଷରୁ ଏହି ଫଟୋ ଦୁଇଟି ଜାରି କରାଯାଇଛି । ପ୍ରଥମ ଫଟୋର ଡାହାଣ ପଟେ ସଂଗଠନର ଲୋଗୋ ଲଗାଯାଇଛି ଏବଂ ଏଥିରେ ସଂଗଠନର ୱାଟର ମାର୍କ ମଧ୍ୟ ରହିଛି । ଫଟୋରେ ସେନା ଟ୍ରକ୍ ଦେଖାଯାଉଥିବା ବେଳେ ଏଥିରେ ଲେଖାଯାଇଛି- ପୁଞ୍ଚ୍ ଆଟାକ୍ । ଏହା ନଜରକୁ ଆସିଛି । ନିଜ ରାସ୍ତାରେ ରହିଛି । ଦ୍ୱିତୀୟ ଫଟୋଟି ଅସ୍ପଷ୍ଟ ଥିବାବେଳେ ଜଣେ ଆତଙ୍କୀ ବନ୍ଧୁକ ଧରି ରାସ୍ତା ଉପରେ ନଜର ରଖିଥିବା ଏବଂ କ୍ୟାମେରାରେ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି । ଏଥିରେ ଲେଖାଯାଇଛି- ବହୁତ ଭଲ ଦିନ । ନଜର ଶିକାର ଉପରେ ।