ଭୁବନେଶ୍ୱର : ବିଜେଡିର ଜନସମ୍ପର୍କ ପଦଯାତ୍ରାକୁ ନେଇ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତଚରଣ ଦାସ । ବିଜେଡି ଯଦି ପ୍ରକୃତରେ ଲୋକଙ୍କ ସମସ୍ୟା ପାଇଁ ରାସ୍ତାକୁ ଓହ୍ଲାଇଛି ଏବଂ ବିଜେପି ସରକାର ବିରୋଧରେ ଲଢ଼େଇ କରୁଛି, ତେବେ ଏହି ସରକାର ଏବେ ବି କାହିଁକି ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଭକ୍ତ । ତାଙ୍କ କହିବା ଅନୁସାରେ, ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ଏବେ ଲୋକଙ୍କ ପାଇଁ ରାସ୍ତାକୁ ଓହ୍ଲାଇବା ନେଇ ପ୍ରଶ୍ନ ଉଠୁଛି। ବିଜେଡି ଚାହିଁଥିଲେ ବିଧାନସଭା ଭିତରେ ଓ ବାହାରେ ଅଧିକ ଜୋରଦାର ଭାବେ ସରକାର ବିରୋଧରେ ଲଢ଼େଇ କରିପାରିଥାନ୍ତା ।
ବିଜେଡି ଯଦି ବର୍ତ୍ତମାନର ସରକାରକୁ ନେଇ ଏତେ ଜୋରଦାର ବିରୋଧ କରୁଛି, ତେବେ ସେହି ଲଢ଼େଇକୁ ଆହୁରି ତୀବ୍ର କରିବା ଆବଶ୍ୟକ। ଏହା ସହ ବିଜେଡିର ପଦଯାତ୍ରାର ଉଦ୍ଦେଶ୍ୟ ଓ ପ୍ରଭାବକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଭକ୍ତ । ସେପଟେ ବିଜେପି ପକ୍ଷରୁ ଆୟୋଜିତ ପଦଯାତ୍ରାକୁ ନେଇ ମଧ୍ୟ କଂଗ୍ରେସ କଟାକ୍ଷ କରିଛି । ଗାନ୍ଧୀଜୀଙ୍କ ନାଁ ନେଇ ବିଜେପି ପଦଯାତ୍ରା କରୁଥିବା ବେଳେ ସତ୍ୟାଗ୍ରହ ଓ ଗାନ୍ଧୀଙ୍କ ଆଦର୍ଶ ସହ କଂଗ୍ରେସର ଐତିହାସିକ ସମ୍ପର୍କ ରହିଛି ବୋଲି ଭକ୍ତଚରଣ ଦାସ କହିଛନ୍ତି ।ବିଜେପିର ପଦଯାତ୍ରାର ପ୍ରଭାବ କଂଗ୍ରେସ ଉପରେ ପଡ଼ିବ ନାହିଁ ବୋଲି ମଧ୍ୟ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଏହା ସହ କଂଗ୍ରେସ ନିଜର ରାଜନୈତିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କକୁ ଆଗକୁ ବଢ଼ାଇବା ନେଇ ସଙ୍କେତ ଦେଇଛି। ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟରେ ବିଭିନ୍ନ ଦଳର ପଦଯାତ୍ରା ଓ ଜନସମ୍ପର୍କ କାର୍ଯ୍ୟକ୍ରମକୁ ନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି।










