25.8 C
Bhubaneswar
Saturday, July 27, 2024
Homeଓଡିଶାଓଡ଼ିଶାକୁ ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛି ବିଜେଡି-ବିଜେପି ମେଂଟ: ଖଡ୍‌ଗେ

ଓଡ଼ିଶାକୁ ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛି ବିଜେଡି-ବିଜେପି ମେଂଟ: ଖଡ୍‌ଗେ

ଭୁବନେଶ୍ୱର : ଅସୀମ ପ୍ରାକୃତିକ ସମ୍ପଦ, ଜଳ, ଜଙ୍ଗଲ, ଜମି ଓ ଖଣି ଖାଦାନରେ ଭରା ଓଡ଼ିଶା । ମାନବ ସମ୍ବଳ ମଧ୍ୟ ଏଠାରେ କିଛି କମ୍ ନୁହେଁ । ଏଠାକାର ଖଣି ଖାଦାନରୁ ସାମଗ୍ରୀ ନେଇ ଅନ୍ୟ ରାଜ୍ୟରେ ବୃହତ ଶିଳ୍ପ, କାରଖାନା ଗଢ଼ିଉଠିଛି । ହେଲେ ମୋଦି ସରକାରଙ୍କ ୧୦ବର୍ଷ ଓ ନବୀନ ବାବୁଙ୍କ ୨୪ବର୍ଷର ଶାସନରେ ରାଜ୍ୟର ଆଶାନୁରୂପ ବିକାଶ ହୋଇପାରିନାହିଁ । ଏଠାରେ ବେକାରୀ ସମସ୍ୟା ଉତ୍କଟ ହୋଇଛି । ରାଜ୍ୟର ମୋଟ୍ ୪୧ ପ୍ରତିଶତ ଯୁବବର୍ଗ ବେକାର ହୋଇ ବୁଲୁଛନ୍ତି । ଏଠାକାର ଲୋକେ ପେଟପାଟଣା ପାଇଁ ବାହାର ରାଜ୍ୟକୁ ଯାଇ ସ୍ୱଳ୍ପ ଅର୍ଥରେ ଶ୍ରମିକ ଭାବେ କାମ କରୁଛନ୍ତି । ତେଣୁ ବିଜେପି ଓ ବିଜେଡି ମେଂଟ ସରକାର ଓଡ଼ିଶାକୁ ଏକ ଶସ୍ତା ଶ୍ରମିକ ଚାଲାଣ ରାଜ୍ୟରେ ପରିଣତ କରିଛନ୍ତି ବୋଲି ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜୁନ ଖଡ୍‌ଗେ କହିଛନ୍ତି ।

ଗୁରୁବାର ଓଡ଼ିଶା ଗସ୍ତରେ ଆସି ହୋଟେଲ ମେଫେୟାରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖଡ୍‌ଗେ ଉଭୟ ବିଜେପି ଓ ବିଜେଡି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କିଛିଦିନ ତଳେ ବିଜେପି ଓ ବିଜେଡି ମେଂଟ ପାଇଁ ଖୋଲା ଆଲୋଚନା କରୁଥିଲେ । ବର୍ତମାନ ନିଜ ସ୍ୱାର୍ଥ ପାଇଁ ସେମାନେ ଭିତିରି ବୁଝାମଣାରେ ନିର୍ବାଚନ ଲଢ଼ୁଛନ୍ତି । କେବଳ ଲୋକ ଦେଖାଣିଆ ଭାବେ ନିର୍ବାଚନୀ ସଭାରେ ପରସ୍ପରକୁ ସମାଲୋଚନା କରୁଛନ୍ତି । ସେମାନଙ୍କ ଏହି ଅଘୋଷିତ ମେଂଟ ଓଡ଼ିଶା ଓ ଓଡ଼ିଶାର ଜନସାଧାରଣଙ୍କୁ ଅଧିକ କ୍ଷତିଗ୍ରସ୍ତ କରିଛି । ଏହି ମେଂଟ ପାଇଁ ଓଡ଼ିଶାରେ ବେକାରୀ ସମସ୍ୟା ବଢ଼ିଛି । ଦରଦାମ କଥା ନ କହିବା ଭଲ । ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାବେଳେ କୃଷି କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଉପରେ ଜିଏସ୍‌ଟି ଲଗାଇ କୃଷକଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଛି । ରାଜ୍ୟର ସବୁଠାରୁ ବଡ଼ ଖଣି ଦୁର୍ନୀତିର ତଦନ୍ତ ହୋଇପାରୁନି । ଚିଟ୍‌ଫଣ୍ଡ୍ ଦୁର୍ନୀତିରେ କ୍ଷତିଗ୍ରସ୍ତ ଲୋକମାନେ ଏହି ମେଂଟ ପାଇଁ ନ୍ୟାୟ ପାଇପାରୁନାହାନ୍ତି । ତେଣୁ ଓଡ଼ିଶାବାସୀ ଏହି ଅଘୋଷିତ ମେଂଟକୁ ଠିକ୍ ଭାବେ ଚିହ୍ନି ସାରିଲେଣି ।

ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ନିର୍ବାଚନୀ ସଭାରେ ଅବ୍‌କି ବାର ୪୦୦ ପାର ନାରା ଦେଉଛନ୍ତି । ହେଲେ ଏହି ସଂଖ୍ୟା ସେ କେମିତି ଆକଳନ କରୁଛନ୍ତି ବୋଲି ଶ୍ରୀ ଖଡ୍‌ଗେ ପ୍ରଶ୍ନ କରିଛନ୍ତି । ବର୍ତମାନ ତାମିଲନାଡୁ ଓ କେରଳରେ ବିଜେପି ନଥିବାବେଳେ କର୍ଣ୍ଣାଟକ, ମହାରାଷ୍ଟ୍ରରେ ଅଧା ଆସନ ପାଇବ । ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ମଧ୍ୟ ବିଜେପି ନାହିଁ । ଏସବୁ ସତ୍ୱେ ୪୦୦ ପାରର ଏକ ମିଛ ନାରା ଦେଇ ନରେନ୍ଦ୍ର ମୋଦି ଭୋଟରଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ଗତ ନିର୍ବାଚନବେଳେ ମଧ୍ୟ ମୋଦି କଳାଧନ ଫେରାଇ ଆଣିବା, ପ୍ରତ୍ୟେକ ଲୋକଙ୍କ ଆକାଉଂଟକୁ ୧୫ଲକ୍ଷ ଟଙ୍କା ପ୍ରଦାନ, ୨ କୋଟି ଚାକିରି, କୃଷକଙ୍କ ରୋଜଗାର ଦୁଇଗୁଣା କରିବା ଆଦି ଅନେକ କଥା କହିଥିଲେ । ହେଲେ ଦେଶବାସୀଙ୍କୁ ମିଳିଲା କ’ଣ । ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲଠାରୁ ଆରମ୍ଭ କରି ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହେଲା । ନୋଟ୍ ବନ୍ଦୀ କରି ଲୋକମାନଙ୍କୁ ହଇରାଣ କରାଗଲା । ଅଥଚ ଆଦାନୀ, ଅମ୍ବାନୀଙ୍କ ଟଙ୍କା ବଢ଼ିଲା । ତେଣୁ ଚଳିତ ନିର୍ବାଚନରେ ମୋଦି ସରକାରଙ୍କ ବିରୋଧରେ ଦେଶର ଜନସାଧାରଣ ଲଢ଼େଇ କରୁଛନ୍ତି । କଂଗ୍ରେସ ପ୍ରତି ସେମାନଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଛି । ଫଳରେ ଏଥର ଇଣ୍ଡିଆ ମେଂଟ ବହୁମତ ହାସଲ କରିବା ସହ ଦେଶରେ ସରକାର ଗଢ଼ିବ ବୋଲି ଶ୍ରୀ ଖଡ୍‌ଗେ କହିଛନ୍ତି ।

ଦେଶରେ ଏକତା ବଜାୟ ରଖିବା ସହ ସମ୍ବିଧାନର ସୁରକ୍ଷା ପାଇଁ କଂଗ୍ରେସ ଲଢ଼େଇ କରୁଛି । ଅତିତରେ କଂଗ୍ରେସ ସରକାର ଖାଦ୍ୟ ସୁରକ୍ଷା ଆଇନ୍‌, ନରେଗା, ଶିକ୍ଷା ଅଧିକାର, ସୂଚନା ଅଧିକାର ଆଇନ୍ ଭଳି ଯୁଗାନ୍ତକାରୀ ଆଇନ୍ ଆଣିଥିଲା । ଓଡ଼ିଶା ସମେତ ସମଗ୍ର ଦେଶରେ ବହୁ ସରକାରୀ ଉଦ୍ୟୋଗ, ଶିଳ୍ପ ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲା । ଏଥର ମଧ୍ୟ କଂଗ୍ରେସ ୫ ନ୍ୟାୟ ୨୫ ଗ୍ୟାରେଂଟିକୁ ନେଇ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ଏଥିରେ ନାରୀ ନ୍ୟାୟ, ଯୁବା ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟକୁ ଗୁରୁତ୍ୱ ଦିଆଯାଇଛି । କଂଗ୍ରେସ କ୍ଷମତାକୁ ଆସିଲେ ଗରିବ ପରିବାରର ମହିଳା ମୁଖ୍ୟଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ପ୍ରଦାନ ସହ ୫୦୦ ଟଙ୍କାରେ ଗ୍ୟାସ୍ ସିଲିଣ୍ଡର ଯୋଗାଇଦେବ । ସ୍ନାତକ ଓ ଡିପ୍ଲମାଧାରୀ ଯୁବବର୍ଗଙ୍କୁ ପ୍ରଥମେ ଚାକିରି ପକ୍କା କରିବା, ବେକାରୀ ଭତା ପ୍ରଦାନ କରିବାକୁ କଂଗ୍ରେସ ଗୁରୁତ୍ୱ ଦେଉଛି ।

ସବୁଠାରୁ ବଡ଼ କଥା ହେଲା ଜାତି ଜନଗଣନା । ଓଡ଼ିଶାରେ ଏସ୍‌ସି, ଏସ୍‌ଟି, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆବର୍ଗର ଲୋକସଂଖ୍ୟା ୯୦ପ୍ରତିଶତରୁ ଅଧିକ ହୋଇଥିଲେ ମଧ୍ୟ ସେମାନେ ଅବହେଳିତ ହୋଇଅଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ସେମାନଙ୍କୁ ନ୍ୟାୟ ଓ ଅଧିକାର ପ୍ରଦାନ କରିବ । ତେଣୁ ଓଡ଼ିଶାବାସୀ ଚଳିତ ନିର୍ବାଚନରେ କଂଗ୍ରେସକୁ ଉଭୟ ଲୋକସଭା ଓ ବିଧାନସଭା ଆସନରେ ବିଜୟୀ ହେବାକୁ ସହଯୋଗ କରିବା ପାଇଁ ଶ୍ରୀ ଖଡ୍‌ଗେ ଅନୁରୋଧ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତେଲେଙ୍ଗାନାର ଉପ ମୁଖ୍ୟମନ୍ତ୍ରୀ ମାଲୁଭାଟି ବିକ୍ରମାର୍କା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ଏଆଇସିସି ସମ୍ପାଦକ ପ୍ରଣବ ଝା, ଶିବାନନ୍ଦ ରାୟ, ଏଆଇସିସି ମିଡିଆ ସଂଯୋଜକ ପ୍ରଭାତ କୁମାର ଓ ରିତୁ ଚୌଧୁରୀ, ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ପ୍ରକାଶ ଜେନା, ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking