କେରଳ : ଏପ୍ରିଲ ୧୯ରେ ଆରମ୍ଭ ହୋଇଥିବା ଲୋକସଭା ଓ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହୋଇଛି । ଜୁନ୍ ୧ରେ ୮ଟି ରାଜ୍ୟରେ ୫୭ଟି ଆସନରେ ଭୋଟ୍ ଗ୍ରହଣ ହୋଇଯାଇଛି । ଏହା ସହ ଦେଶର ସର୍ବ ବୃହତ୍ତ ନିର୍ବାଚନ ସମାପ୍ତ ହୋଇଯାଇଛି । ତେବେ ୪୪ ଦିନର ନିର୍ବାଚନ ପ୍ରକ୍ରିୟା ପରେ, ଆଜି ହେଉଛି ଭୋଟ୍ ଗଣନା । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ କେରଳର ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରେ ତିନି ଥର ସାଂସଦ ହୋଇଥିବା କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ୨୪ ହଜାର ଭୋଟ୍ ପଛରେ ଥିଲେ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦିନ ୧୨ଟା ସୁଦ୍ଧା ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଶଶି ଥରୁର ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କଠାରୁ ୨୪ ହଜାର ଭୋଟ୍ ପଛରେ ଥିଲେ କିନ୍ତୁ ଲୋକସଭା ଭୋଟ୍ ଗଣତି ମଧ୍ୟରେ କେରଳର ଥିରୁଅନନ୍ତପୁରମ ନିର୍ବାଚନମଣ୍ଡଳୀରୁ ବଡ଼ ଖବର ଆସିଛି। ଆରମ୍ଭରୁ ପଛରେ ରହିଥିବା ତିନି ଥରର ସାଂସଦ ତଥା ଭେଟରାନ କଂଗ୍ରେସ ନେତା ଶଶି ଥରୁର ଲିଡ୍ ହାସଲ କରିଛନ୍ତି। ସେ ବିଜେପିର ରାଜୀବ ଚନ୍ଦ୍ରଶେଖରଙ୍କୁ ଏବେ ପଛରେ ପକାଇ ଦେଇଛନ୍ତି। ଶଶି ଥରୁର ୬ ହଜାରରୁ ଅଧିକ ଭୋଟରେ ଆଗରେ ରହିଛନ୍ତି । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ, କଂଗ୍ରେସ ସାଂସଦ ଶଶି ଥରୁର ଏଯାଏ ମୋଟ ୩,୨୫,୮୯୬ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ରାଜୀବଙ୍କୁ ୩,୧୯,୮୦୮ ଖଣ୍ଡ ଭୋଟ ମିଳିଛି।