27.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶମୋଦୀଙ୍କ ଉପରେ ନିର୍ମିତ ଫିଲ୍ମକୁ ନେଇ ହଙ୍ଗାମା; ଜେଏନ୍‌ୟୁ ଓ ଜାମିଆ ମିଲିଆରେ ଉତ୍ତେଜନା

ମୋଦୀଙ୍କ ଉପରେ ନିର୍ମିତ ଫିଲ୍ମକୁ ନେଇ ହଙ୍ଗାମା; ଜେଏନ୍‌ୟୁ ଓ ଜାମିଆ ମିଲିଆରେ ଉତ୍ତେଜନା

ନୂଆଦିଲ୍ଲୀ : ବିବିସି ପକ୍ଷରୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ନିର୍ମିତ ପ୍ରାମାଣିକ ଚଳଚ୍ଚିତ୍ର ‘‘ଇଣ୍ଡିଆ-ଦି ମୋଦୀ କ୍ୱେଶ୍ଚେନ୍‌’କୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କେନ୍ଦ୍ର ସରକାର ଏହାର ପ୍ରସାରଣକୁ ବ୍ୟାନ୍ କରିଥିବାବେଳେ ସରକାର ବିରୋଧୀ ଶକ୍ତିମାନେ ଏହାକୁ ଲୁଚାଛପାରେ ଦେଖିବା ଉଦ୍ୟମ ଜାରି ରଖିଛନ୍ତି । ଦିଲ୍ଲୀସ୍ଥିତ ଦୁଇଟି ଖ୍ୟାତନାମା ବିଶ୍ୱବିଦ୍ୟାଳୟ ଜେଏନ୍‌ୟୁ ଓ ଜାମିଆ ମିଲିଆ ଇସ୍‌ଲାମିଆରେ ଏହାର ପ୍ରସାରଣ ପ୍ରସଙ୍ଗ ନେଇ ବୁଧବାର ବ୍ୟାପକ ଉତ୍ତେଜନା ଦେଖିବାକୁ ମିଳିଛି । ଜେଏନ୍‌ୟୁରେ ପାୱାର କଟ୍ ସାଙ୍ଗକୁ ଇଣ୍ଟରନେଟ୍ ସେବାକୁ ସାମୟିକଭାବେ ବାତିଲ କରାଯାଇଛି ।

ଏହାସତ୍ତ୍ୱେ ବାମପନ୍ଥୀ ଚିନ୍ତାଧାରାର କେତେକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଚଳଚ୍ଚିତ୍ରକୁ ଲ୍ୟାପ୍‌ଟପ୍‌ରେ ଦେଖୁଥିବାବେଳେ ସେମାନଙ୍କ ଉପରକୁ ଟେକାମାଡ ହୋଇଥିବା ଜଣାପଡିଛି । ଆକ୍ରମଣକାରୀମାନେ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ)ର ବୋଲି ଅଭିଯୋଗ ହୋଇଛି । ବିଶ୍ୱବିଦ୍ୟାଳୟ ପରିସରରେ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରାଯିବା ସହ ଇଣ୍ଟରନେଟ୍ ସେବାର ପୁନଃଆରମ୍ଭ କରିବାକୁ ଜେଏନ୍‌ୟୁ ଛାତ୍ର ସଂଗଠନର ଏକାଧିକ ନେତା ଦାବି କରିଛନ୍ତି । ସରକାର ଉଦ୍ଦେଶ୍ୟମୂଳକଭାବେ ପାୱାର କଟ୍ କରିବା ସହ ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରିଛନ୍ତି ବୋଲି ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ) ପକ୍ଷରୁ ଅଭିଯୋଗ କରାଯାଇଛି । ବିଶ୍ୱବିଦ୍ୟାଳୟ ପରିସରରେ ଏଏହି ଚଳଚ୍ଚିତ୍ର ଦେଖିବାକୁ ଅନୁମତି ଦିଆଯାଇପାରିବନି ବୋଲି କର୍ତ୍ତୃପକ୍ଷ ସ୍ପଷ୍ଟ କରିସାରିଛନ୍ତି । ଏହାର ପ୍ରତିବାଦରେ ଜେଏନ୍‌ୟୁର ଏକ ଛାତ୍ର ପ୍ରତିନିଧିଦଳ ନିକଟସ୍ଥ ଥାନାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

 ଅପରପକ୍ଷରେ ବୁଧବାର ଏହି ପ୍ରସଙ୍ଗକୁ କେନ୍ଦ୍ରକରି ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟା ୬ଟାରେ ଜାମିଆ ମିଲିଆ ପରିସରରେ ଏହି ଚଳଚ୍ଚିତ୍ରର ପ୍ରସାରଣ କରାଯିବ ବୋଲି ଏସ୍‌ଏଫ୍‌ଆଇ ପକ୍ଷରୁ ଘୋଷଣା କରାଯାଇଥିଲା । ଏହାପରେ ବିିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମୁଖ୍ୟ ପ୍ରବେଶ ଫାଟକକୁ ବନ୍ଦ କରିଦେଇଥିଲେ । ଏହାସତ୍ତ୍ୱେ ଫାଟକ ବାହାରେ ଏସଏଫ୍‌ଆଇ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ପୁଲିସ ବିଶ୍ୱବିଦ୍ୟାଳୟର ୪ ଜଣ ଛାତ୍ରଙ୍କ ସମେତ କେତେକ ବିକ୍ଷୋଭକାରୀଙ୍କୁ ଥାନାରେ ଅଟକ ରଖିଛି । ଏସ୍‌ଏଫ୍‌ଆଇ ଅଯଥାରେ କ୍ୟାମ୍ପସରେ ଅଶାନ୍ତି ସୃଷ୍ଟି କରୁଛି ବୋଲି ଜାମିଆ ମିଲିଆ କୁଳପତି ନଜ୍‌ମା ଅଖ୍‌ତାର ଅଭିଯୋଗ କରିଛନ୍ତି । ବୁଧବାର କଂଗ୍ରେସର ଛାତ୍ର ସଂଗଠନ ଏନ୍‌ଏସ୍‌ୟୁଆଇ (ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ୍ ଇଣ୍ଡିଆ) ପକ୍ଷରୁ ଚଣ୍ଡିଗଡସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ପରିସରରେ ଏହି ଚଳଚ୍ଚିତ୍ରର ପ୍ରସାରଣ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking