ଭୁବନେଶ୍ୱର: ଦୀର୍ଘ ୧୫ ଦିନ ହେବ ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଇଡି ତଦନ୍ତ ନେଇ ବଢୁଛି ରାଜନୈତିକ ଛକାପଞ୍ଝା । ଆଗକୁ ନିର୍ବାଚନ ଥିବାବେଳେ ଏବେ ଚିଟଫଣ୍ଡ ତନାଘନା, ପାଓ୍ବାର କରିଡରର ହେବିଓ୍ବେଟଙ୍କ ପାଇଁ ବଢ଼ାଇଛି ଅଡୁଆ । ଅର୍ଥତତ୍ତ୍ୱ ଭଳି ୫୦୦ କୋଟି ଚିଟଫଣ୍ଡ କେଳେଙ୍କାରୀରେ ଏକାଧିକ ଲୋକ ଜେରା ପରେ ଏବେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ବି ଆସି ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି । ହେଲେ ଏହିସବୁ ଚିଟଫଣ୍ଡରେ ସାମିଲ ଥିବା ଅନେକ ପୂର୍ବତନ ବିଧାୟକ ଓ ହେବିଓ୍ବେଟ ଏବେ ବି ଇଡିର ରାଡାରରେ ରହିଛନ୍ତି । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଯଦି ଇଡି ଏହି ସମୟରେ କାହାକୁ ଡାକିବ ତେବେ ନିର୍ବାଚନ ସମୟରେ ରାଜନୈତିକ ଛବି ମଳିନ ବା ଟିକେଟ ବଣ୍ଟନ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ମଧ୍ୟ ରହୁଛି । ତେଣୁ ଇଡି ଗୋଟିଏ ପରେ ଗୋଟିଏ ହେବିଓ୍ବେଟଙ୍କୁ ସମନ ପରେ ଏବେ ପରବର୍ତ୍ତୀ ପାଳି କାହାର ପଡିବ ସେନେଇ ଅନେକ ମନେ ମନେ ପ୍ରମାଦ ଗଣିଲେଣି । ତେବେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଓ ସିସୋର ଚିଟଫଣ୍ଡ ପରେ ଏବେ ଆଉ କେଉଁ ଚିଟଫଣ୍ଡ ବା ଏହି ଚିଟଫଣ୍ଡରେ ସାମିଲ ଥିବା ହେବିଓ୍ବେଟଙ୍କୁ ଇଡିରୁ ଡାକରା ପଡୁଛି, ଦେଖିବା ବାକି ରହିଲା ।