କଟକ : କଟକ ଚୌଦ୍ୱାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୦ହଜାର ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ।ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ୟ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ୟ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ଯୋଗାଇଦେବେ ସରକାର । ଓଟିଏମ ବା ଓଡ଼ିଶା ଟେକ୍ସଟାଇଲ ମିଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇପଡିଥିବା ବେଳେ ଏଠାରେ କାମ କରୁଥିବା ଶ୍ରମିକ ମାନେ ମଧ୍ୟ ଛଟେଇ ହୋଇଥିଲେ । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଥିବା ବେଳେ ନିଯୁକ୍ତିରେ ସ୍ଥାନୀୟ ଅଂଚଳର ଯୁବକ ଯୁମତୀ ମାନେ ସୁଯୋଗ ପାଇବେ । ପୂର୍ବରୁ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ଦେୟ ବାବଦକୁ ୧୫୦କୋଟି ଟଙ୍କା ବକେୟା ପ୍ରଦାନ କରାଯାଇଛି । ସେହିପରି ଦୀର୍ଘ ୧୭ ବର୍ଷ ଧରି ଏଠାରେ ରହୁଥିବା କଲୋନୀ ବାସୀଙ୍କୁ ଘର ଦେବା ସହିତ ଜମି ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରକାର ।