ଭୁବନେଶ୍ୱର : ସ୍ୱଚ୍ଛତା ଓ ଦକ୍ଷତାର ସହ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ୧୬ତମ ନିଯୁକ୍ତି ମେଳାରେ ଆଜି ୯ଟି ବିଭାଗର ୧୩୨୬ ଜଣଙ୍କୁ ନିଯୁକ୍ତି ଦିଆଯାଉଛି । ଏହାକୁ ମିଶାଇ ୧୬ଟି ନିଯୁକ୍ତି ମେଳାରେ ମୋଟ ୪୫ ହଜାର ୪୦୮ ଜଣ ନିଯୁକ୍ତି ପାଇସାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।‘କଥା ଦେଇ କଥା ରଖିବା ଆମ ସରକାର’ ବୋଲି କହିବା ସହ ରାଜ୍ୟର ବିକାଶ ଓ ଯୁବ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି । ମିଶନ ପାୱାର ଜରିଆରେ ୨୦୨୭ ଡିସେମ୍ବର ସୁଦ୍ଧା ପଞ୍ଚାୟତର ସବୁ ଘରେ ପାନୀୟ ଜଳ ପହଞ୍ଚାଇବାର ଲକ୍ଷ୍ୟ ରହିଛି । ରାଜ୍ୟରେ ବର୍ତ୍ତମାନ ୧୪ଟି ସରକାରୀ ମେଡିକାଲ କଲେଜ ଥିବା ବେଳେ ମେଡିକାଲ ସିଟ୍ ସଂଖ୍ୟା ୧୮୦୦କୁ ବୃଦ୍ଧି ପାଇଛି। ଢେଙ୍କାନାଳ, ଭଦ୍ରକ, ଜଗତସିଂହପୁର ଓ ନବରଙ୍ଗପୁରରେ ନୂଆ ମେଡିକାଲ କଲେଜ ଖୋଲିବାକୁ ଯୋଜନା ରହିଛି।
ଶିଳ୍ପାୟନ ଜରିଆରେ ଅଧିକ ଯୁବକଙ୍କୁ ନିଯୁକ୍ତି ଦେବା ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ନବନିଯୁକ୍ତ ଅଧିକାରୀଙ୍କୁ ଲୋକଙ୍କ ସମସ୍ୟା ଶୁଣି ତୁରନ୍ତ ସମାଧାନ କରିବାକୁ ପରାମର୍ଶ ଦେବା ସହ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ଆହ୍ୱାନ ଦେଇଛନ୍ତି ।










