ଭୁବନେଶ୍ୱର: ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ଅଗଷ୍ଟ ୯ ତାରିଖରେ ରବିବାର ଦିନ ପାଳିତ କରାଯିବ । ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗ ଦେଇ ଜନଜାତିଙ୍କୁ ଶୁଭେଚ୍ଛା ଜଣାଇବେ । ଏନେଇ ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସୂଚନା ପ୍ରଦାନ କରିଛନ୍ତି । ବିଜେଡି ପକ୍ଷରୁ ଶଙ୍ଖ ଭବନ ସମେତ ବିଭିନ୍ନ କ୍ଷେତ୍ରୀୟ ମୁଖ୍ୟାଳୟରେ ଜନଜାତି ମାନଙ୍କ ସହ ସାମିଲ ହୋଇ ଏହି ଦିବସ ପାଳନ କରାଯିବ ।ଶ୍ରୀ ମିଶ୍ର କହିଛନ୍ତି ଯେ, ୧୯୪୨ ମସିହାର ଭାରତ ଛାଡ଼ ଆନେ୍ଦାଳନ ସମୟରେ ସାମିଲ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ନେଇ କ୍ରାନ୍ତି ଦିବସ ପାଳନ କରାଯିବ । ମହାନ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ । ଇଂରେଜ ଶାସନ ବିରୁଦ୍ଧରେ ଆଦିବାସୀ ମାନଙ୍କ ଆନେ୍ଦାଳନକୁ ଦେଶ ସର୍ବଦା ମନେ ପକାଉଛି । ଆମ ଜନସଂଖ୍ୟାର ଏକ ଚତୁର୍ଥାଂଶ ଜନଜାତି ଲୋକ ଅଟନ୍ତି । ଓଡ଼ିଶାରେ ୬୪ ଜନଜାତି ଲୋକେ ବସବାସ କରନ୍ତି । ସେଥି ମଧ୍ୟରେ ଅନେକ ପିଭିଟିଜି ରହିଛନ୍ତି । ଆଦିବାସୀ ସଂପ୍ରଦାୟର ଲୋକମାନେ ଆମ ମାନଙ୍କ ପାଇଁ ଗର୍ବ ଅଟନ୍ତି । ଆଦିବାସୀଙ୍କ ସ୍ୱତନ୍ତ୍ର ଚିତ୍ରକଳା, ଭାସ୍କର୍ଯ୍ୟ, ହସ୍ତଶିଳ୍ପ, ନୃତ୍ୟ, ସଂଗୀତ ଓଡ଼ିଶା ସାଂସ୍କୃତିକ ଐତିହ୍ୟର ଅନନ୍ୟ ବିଭବ । ଏହାର ସୁରକ୍ଷା, ସଂରକ୍ଷଣ ସହ ଆଦିବାସୀଙ୍କ କଲ୍ୟାଣ ପାଇଁ ବିଜେଡି ସଦାସର୍ବଦା ସଂକଳ୍ପବଦ୍ଧ ରହିଛି । ଆଦିବାସୀ ମାନଙ୍କ ବିକାଶ ନିମନ୍ତେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶଙ୍ଖ ଭବନରେ ଆୟୋଜିତ ହେବାକୁ ଥିବା ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆଦିବାସୀ ଭାଇଭଉଣୀ ମାନେ ଯୋଗ ଦେବେ । ତାଙ୍କୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମ୍ୱୋଧନ କରିବେ ।










