ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଏକ ହଜାର ଆସନ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ଅଡିଟୋରିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବହୁ ଦିନର ସ୍ୱପ୍ନ ପୂରଣ ହୋଇପାରିଛି । ଏହା ଦ୍ୱାରା ଶିକ୍ଷାକ୍ଷେତ୍ରରେ ଅଧିକ ବିକାଶ ହୋଇପାରିବ । ଏହି ଅତ୍ୟାଧୁନିକ ଅଡିଟୋରିୟମ ଆଗାମୀ ପିଢ଼ି ଛାତ୍ରୀଙ୍କ ପାଇଁ ନୂଆ ପ୍ରେରଣା ସୃଷ୍ଟି କରିବ ।
ଏନେଇ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ବିକାଶ କାର୍ଯ୍ୟକ୍ରମ ପାଇଁ ଛାତ୍ରୀ ଓ ଅଧ୍ୟାପିକାମାନେ ମୁଖ୍ୟମନ୍ତ୍ରୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଭାଇସ୍ ଚାନସେଲର ଆଜିର ଦିନକୁ ଇତିହାସ ମନେରଖିବ ବୋଲି କହିଛନ୍ତି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ସାହାଯ୍ୟ କରିଛନ୍ତି ବୋଲି ଅଧ୍ୟାପିକାମାନେ ଧନ୍ୟବାଦ ଦେଇଛନ୍ତି । ରାଜ୍ୟରେ ଶିକ୍ଷାର ବିକାଶ ଓ ଉନ୍ନତି ପାଇଁ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ସାହାଯ୍ୟ ଓ ସହଯୋଗ କରୁଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ କହିଥିଲେ ।
୨ୟ ସମାବର୍ତନ ଉତ୍ସବ କାର୍ଯ୍ୟକ୍ରମରେ ଆସନ୍ତା ୧୦ ତାରିଖ ଦିନ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଥର ପାଇଁ ନିଜ କଲେଜ ରମାଦେବୀ ବିଶ୍ୱବିଦ୍ୟାଳୟକୁ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ଆସୁଥିବାରୁ ଏହି ଅଡିଟୋରିୟମରେ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଉଛି । ତେଣୁ ଆଜି ମୁଖ୍ୟମନ୍ତ୍ରୀ ଏହି ଅଡିଟୋରିୟମକୁ ଉଦଘାଟନ କରିଥିବାବେଳେ ଆଗାମୀ ଦିନରେ ରାଷ୍ଟ୍ରପତି ଆସିବାର କାର୍ଯ୍ୟକ୍ରମ ରହିଥିବାରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଉଦଘାଟନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣୁପଦ ସେଠୀ, କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ମେୟର ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟବିଧାୟକ ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।