24.1 C
Bhubaneswar
Thursday, January 16, 2025
Homeଓଡିଶାଛତ୍ରପୁର ପୌର ନିର୍ବାଚନ : ପ୍ରକାଶ ପାଇଲା ବିଜେପିର ଇସ୍ତାହାର

ଛତ୍ରପୁର ପୌର ନିର୍ବାଚନ : ପ୍ରକାଶ ପାଇଲା ବିଜେପିର ଇସ୍ତାହାର

ଛତ୍ରପୁର: ଛତ୍ରପୁର ଏନ୍‌ଏସି ବିଜେପି ପକ୍ଷରୁ ବଡ଼ବଜାର ସ୍ଥିତ ନିର୍ବାଚନ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଦଳର ପୌର ଅଧ୍ୟକ୍ଷା ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନଙ୍କ ଦ୍ୱାରା ବିଜେପିର ନିର୍ବାଚନ ଇସ୍ତାହାର -୨୦୨୨ ପ୍ରକାଶ ପାଇଛି । ବିଜେପିର ବରିଷ୍ଠ ନେତା ପ୍ରଦୀପ କୁମାର ପାଢ଼ୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ଏନ୍‌ଏସି ସଭାପତି ସଞ୍ଜିତ କୁମାର ରାଉଳ, ବରିଷ୍ଠ ନେତା ପଦ୍ମ ଚରଣ ସାହୁ, ଯୁବ ନେତା କେ. ଚନ୍ଦ୍ରଶେଖର ରେଡ୍ଡୀ, ଯୁବ ନେତା ଲକ୍ଷ୍ମୀ ନାରାୟଣ ପଣ୍ଡା, ଯୁବ ନେତା ଏନ୍‌. ଦୀନବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ । ଛତ୍ରପୁୁର ସହରର ବିଭିନ୍ନ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ସମ୍ପର୍କରେ ସୂଚନା ଦେଇଥିଲେ । ଛତ୍ରପୁର ସହରକୁ ମହାନଗର (ମ୍ୟୁନିସିପାଲିଟି) ଘୋଷଣାରେ ଅବହେଳା ପ୍ରଦର୍ଶନ କରାଯାଇଥିବା ନେତାମାନେ ଅଭିଯୋଗ ଆଣିଥିଲେ ।

ସହରରେ ଉତ୍ତମ ସ୍ୱାସ୍ଥ୍ୟସେବା, ପିଇବା ପାଣି ସମେତ ବିଭିନ୍ନ ମୌଳିକ ସମସ୍ୟା ପ୍ରତି ସରକାର ଆଖି ବୁଜି ଦେଇଥିବା କହିଥିଲେ । ଜନସାଧାରଣ ବିଜେପିକୁ ଥରେ ସୁଯୋଗ ଦେବାକୁ ନେତାମାନେ ଆହ୍ୱାନ ଦେଇଥିଲେ । ପୌରପାଳିକାର ଶାସନ ଭାର ଦେଲେ, ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ୨୦ଟି ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଦଳ ପ୍ରତିଶ୍ରୁତିବଦ୍ଧ ବୋଲି ଏଠାରେ କୁହାଯାଇଛି । କ୍ଷମତାକୁ ଆସିଲେ ଛତ୍ରପୁର ସହରକୁ ମୁନିସପାଲଟି ଘୋଷଣା କରିବା, ଛତ୍ରପୁର ଲେବଲ କ୍ରସିଁଠାରେ ଓଭର ବ୍ରିଜ ନିର୍ମାଣ, ପୁରୁଣା ବସଷ୍ଠାଣ୍ଡକୁ ଯାତ୍ରୀବାହୀ ବସ ଆଣିବା ବ୍ୟବସ୍ଥା, ବସ୍ତିବାସିନ୍ଦାଙ୍କୁ ଘର ପଟ୍ଟା ଯୋଗାଇବା, ଉଠା ପନିପରିବା ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ ବ୍ୟବସ୍ଥା, ପ୍ରଧାମନ୍ତ୍ରୀଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧକାରୀଙ୍କୁ ସାମିଲ କରିବା, ପରିମଳ ଟେକ୍ସ ଉଚ୍ଛେଦ କରିବା, ଅସହାୟ ବୟସ୍କ ବ୍ୟକ୍ତିଙ୍କ ପାଇଁ ଆଶ୍ରୟସ୍ଥଳ ଓ ଗୃହ ନିର୍ମାଣ ସମେତ ଜନସାଧରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ପ୍ରାର୍ଥୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking