20.1 C
Bhubaneswar
Thursday, January 23, 2025
Homeଆଇପିଏଲ୍‌-୨୦୨୩ଆଇପିଏଲ୍‌ : ଲକ୍ଷ୍ନୌକୁ ହରାଇଲା ଚେନ୍ନାଇ

ଆଇପିଏଲ୍‌ : ଲକ୍ଷ୍ନୌକୁ ହରାଇଲା ଚେନ୍ନାଇ

ଚେନ୍ନାଇ: ଚଳିତ ଆଇପିଏଲ୍‌ର ଷୋଡ଼ଶ ସଂସ୍କରଣରେ ସୋମବାର ଖେଳାଯାଇଥିବା ଷଷ୍ଠ ମ୍ୟାଚ୍‌ରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ତା’ର ପ୍ରଥମ ବିଜୟ ହାସଲ କରିଛି । ଦଳ ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସଠାରୁ ପରାସ୍ତ ହୋଇଥିବା ଚେନ୍ନାଇ ସୋମବାର ଏଠାକାର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ଠାରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ଭେଟିଥିଲା । ଏଥିରେ ପ୍ରଥମେ ବ୍ୟାଟିଂ ପାଇ ଦଳ ୭ ୱିକେଟ୍ ବିନିମୟରେ ୨୧୭ ର୍‌ର ବଡ଼ ସ୍କୋର୍ କରିଥିଲା । ଏହାର ଜବାବରେ ଲକ୍ଷ୍ନୌ ୭ ୱିକେଟ୍ ବିନିମୟରେ ୨୦୫ ରନ୍ କରିବା ଫଳରେ ପ୍ରତିଯୋଗିତାରେ ତା’ର ଦ୍ୱିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ବରଣ କରିଛି ।

ଚେନ୍ନାଇ ପାଇଁ ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଡେଭନ୍ କୋନ୍‌ୱେ ଇନିଂସ ଆରମ୍ଭ କରିବା ପରେ ମଜଭୁତ ବ୍ୟାଟିଂ ପ୍ରଦର୍ଶନ ପୂର୍ବକ ୧୧୦ ରନ୍‌ର ଭାଗୀଦାରୀ କରିଥିଲେ । ଇତିମଧ୍ୟରେ ଋତୁରାଜ ଚଳିତ ଆଇପିଏଲ୍‌ରେ ତାଙ୍କର କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର୍ ୧୧୦ ଥିବା ସମୟରେ ସେ ଆଉଟ୍ ହେବା ଫଳରେ ଲକ୍ଷ୍ନୌକୁ ପ୍ରଥମ ସଫଳତା ମିଳିଥିଲା । ସେତେବେଳକୁ ଋତୁରରାଜ ମାତ୍ର ୩୧ ବଲ୍ ଖେଳି ୩ଟି ଚୌକା ଓ ୪ଟି ଛକା ସହ ୫୭ ରନ୍ କରିସାରିଥିଲେ । ପରେ କୋନ୍‌ୱେ ୨୯ ବଲ୍‌ରେ ୫ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୪୭ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ବିଦାୟ ପରେ ଶିବମ୍ ଦୁବେଙ୍କ ସହ ଯୋଗଦେଇଥିବା ମୋଇନ୍ ଅଲୀ ଦଳୀୟ ସ୍କୋର୍‌କୁ ୧୫୦ରେ ପହଞ୍ଚାଇଥିଲେ । ଦୁବେ ୧୬ ବଲ୍‌ରେ ଗୋଟିଏ ଚୌକା ଓ ୩ଟି ଛକା ସହ ୨୭ ରନ୍ କରି ବିଦାୟ ନେବା ପରେ ମୋଇନ୍ ୧୩ ବଲ୍‌ରେ ୩ଟି ଚୌକା ଜରିଆରେ ୧୯ ରନ୍ କରି ଆଉଟ୍ ହୋଇଥିଲେ । ବେନ୍ ଷ୍ଟୋକ୍ସ ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିଲେ ।

କିନ୍ତୁ ଅମ୍ବାତି ରାୟୁଡୁ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋର୍‌କୁ ୨ ଶହ ଅତିକ୍ରମ କରାଇଥିଲେ । ଇତିମଧ୍ୟରେ ସେ ମାତ୍ର ୧୪ଟି ବଲ୍‌ର ସମ୍ମୁଖୀନ ହୋଇ ୨ଟି ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୨୭ ରନ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଧ୍ୟ ମାତ୍ର ୩ଟି ବଲ୍ ଖେଳି ୨ଟି ଛକା ଜରିଆରେ ୧୨ ରନ୍‌ର ଯୋଗଦାନ ଦେଇଥିଲେ । ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋୟୀ ମିତବ୍ୟୟୀ ବୋଲିଂ କରି ତାଙ୍କର ୪ ଓଭର୍‌ରେ ମାତ୍ର ୨୮ ରନ୍ ବ୍ୟୟ କରି ୩ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ମାର୍କ ଉଡ୍ ୩ଟି ଏବଂ ଅଭେଶ ଖାନ୍ ଗୋଟିଏ ୱିକେଟ୍ ନେଇଥିଲେ।
ଲକ୍ଷ୍ନୌର ଦୁଇ ଓପନର ଅଧିନାୟକ ଲୋକେଶ ରାହୁଲ୍ ଓ କାଇଲ୍ ମାୟେର୍ସ ଧୂଆଁଧାର ବ୍ୟାଟିଂ କରି ପ୍ରଥମ ୫.୩ ଓଭର୍‌ରେ ୭୯ ରନ୍ ଯୋଡ଼ିଥିଲେ । ସେମାନଙ୍କ ମଧ୍ୟରୁ ମାୟେର୍ସ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରି ତୁରନ୍ତ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ ।

ଚଳିତ ଆଇପିଏଲ୍‌ରେ ଡେବ୍ୟୁ କରିଥିବା ମାୟେର୍ସଙ୍କର ଏହା କ୍ରମାଗତ ଦ୍ୱିତୀୟ ଅର୍ଦ୍ଧଶତକ ଥିଲା । ସେ ଆଉଟ୍ ହେବା ପୂର୍ବରୁ ମାତ୍ର ୨୨ ବଲ୍‌ରେ ୮ଟି ଚୌକା ଓ ୨ଟି ଛକା ଜରିଆରେ ୫୩ ରନ୍ କରିସାରିଥିଲେ । ଏହାପରେ ଦଳ ମାତ୍ର ୩ ରନ୍ ବ୍ୟବଧାନରେ ଦୀପକ ହୁଡ୍ଡା (୨) ଓ ଅଧିନାୟକ ରାହୁଲ୍‌ଙ୍କ ୱିକେଟ୍ ହରାଇବା ଫଳରେ ଦଳର ରନ୍ ସଂଗ୍ରହ ହାର ପ୍ରଭାବିତ ହୋଇଥିଲା । ରାହୁଲ୍ ୧୮ ବଲ୍ ଖେଳି ୨ଟି ଚୌକା ମାଧ୍ୟମରେ ୨୦ ରନ୍ କରିଥିଲେ । ଏହାପରେ ନିକୋଲାସ୍ ପୂରନ୍ ୧୮ ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ସହ ୩୨ ରନ୍ କରିଥିବା ବେଳେ ଆୟୁଷ ବଦୋନୀ ୧୮ ବଲ୍‌ରେ ୨୩, ମାର୍କସ୍ ଷ୍ଟୋଇନିସ୍ ୧୮ ବଲ୍‌ରେ ଗୋଟିଏ ଛକା ସହ ୨୧ ଏବଂ କ୍ରିଷ୍ଣାପ୍ପା ଗୌତମ ମାତ୍ର ୧୧ ବଲ୍‌ରେ ଗୋଟିଏ ଛକା ସହ ୧୭ ଏବଂ ଉଡ୍ ୩ଟି ବଲ୍‌ରେ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୦ ରନ୍ କରି ଅପରାଜିତ ଥିଲେ । ଚେନ୍ନାଇ ପକ୍ଷରୁ ମୋଇନ୍ ୪ଟି ୱିକେଟ୍ ନେଇଥିବା ବେଳେ ତୁଷାର ଦେଶପାଣ୍ଡେ ୨ଟି ଓ ମିଚେଲ୍ ସାଣ୍ଟନର୍ ଗୋଟିଏ ୱିକେଟ୍ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking