ଚେନ୍ନାଇ: ଚଳିତ ଆଇପିଏଲ୍ର ଷୋଡ଼ଶ ସଂସ୍କରଣର ଫାଇନାଲ୍ ଖେଳିବା ସକାଶେ ଯୋଗ୍ୟତା ହାସଲ କରିଛି ଚେନ୍ନାଇ ସୁପର୍ କିଙ୍ଗ୍ସ । ଏହି ୪ ଥରର ଚାମ୍ପିଅନ୍ ଟିମ୍ ମଙ୍ଗଳବାର ଏଠାରେ ଖେଳାଯାଇଥିବା କ୍ୱାଲିଫାୟର୍-୧ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟାନ୍ସକୁ ୧୫ ରନ୍ରେ ପରାସ୍ତ କରି ଦଶମ ଥର ପାଇଁ ଫାଇନାଲ୍ରେ ପହଞ୍ଚିଛି । ପ୍ରଥମେ ବ୍ୟାଟିଂ ପାଇ ଘରୋଇ ଚେନ୍ନାଇ ୭ ୱିକେଟ୍ ବିନିମୟରେ ୧୭୨ ରନ୍ କରିଥିଲା । ଏହାର ଜବାବରେ ଗୁଜରାଟ ୧୫୭ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା । ଗୁଜରାଟ ଆସନ୍ତା ୨୬ରେ ଅହମ୍ମଦାବାଦଠାରେ କ୍ୱାଲିଫାୟର୍-୨ରେ ଏଲିମିନେଟର୍ର ବିଜେତା ଟିମ୍କୁ ଭେଟିବ । ତାରକା ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ବ୍ୟାଟିଂରେ ୨୨ ରନ୍ କରିବା ସହ ଗୁଜରାଟର ୨ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ମିଲର୍ ଓ ଦାସୁନ୍ ଶନାକାଙ୍କୁ ଆଉଟ୍ କରି ଚେନ୍ନାଇର ଏହି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକ୍ୱାଡ୍ ଓ ଡେଭନ୍ କୋନ୍ୱେ ୮୭ ରନ୍ର ଭାଗୀଦାରୀ କରିଥିଲେ ହେଁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ମାନେ ନିରାଶ କରିଥିଲେ । ଗାଏକ୍ୱାଡ୍ ମାତ୍ର ୪୪ଟି ବଲ୍ର ସମ୍ମୁଖୀନ ହୋଇ ୭ଟି ଚୌକା ଓ ଗୋଟିଏ ଛକା ଜରିଆରେ ସର୍ବାଧିକ ୬୦ ରନ୍ କରିଥିଲେ । ସେହିପରି କୋନ୍ୱେ ୩୪ଟି ବଲ୍ ଖେଳି ୪୦ ରନ୍ କରିଥିଲେ ଓ ତାଙ୍କର ଏହି ଇନିଂସରେ ୪ଟି ଚୌକା ରହିଥିଲା । ମଧ୍ୟକ୍ରମରେ ଜାଡେଜା ତାଙ୍କର ୨୨ ରନ୍ର ଇନିଂସ ପାଇଁ ୧୬ଟି ବଲ୍ ନେବା ସହ ୨ଟି ଚୌକା ଲଗାଇଥିଲେ । ଏହାଛଡ଼ା ଆଜିଙ୍କ୍ୟ ରାହାଣେ ଓ ଅମ୍ବାତି ରାୟୁଡୁ ୧୭ ରନ୍ ଲେଖାଏଁ କରିଥିଲେ । ରାହାଣେ ଗୋଟିଏ ଛକା ଲଗାଇଥିବା ବେଳେ ରାୟୁଡୁ ଗୋଟିଏ ଲେଖାଏଁ ଚୌକା ଓ ଛକା ମାରିଥିଲେ । ଏହାଛଡ଼ା ଶେଷ ଭାଗରେ ମୋଇନ୍ ଅଲୀ ମାତ୍ର ୪ ବଲ୍ ଖେଳି ଗୋଟିଏ ଛକା ସହ ୯ ରନ୍ରେ ଅପରାଜିତ ଥିଲେ । ଗୁଜରାଟ ପକ୍ଷରୁ ମହମ୍ମଦ ଶମି ଓ ମୋହିତ୍ ଶର୍ମା ୨ଟି ଲେଖାଏଁ ଏବଂ ଦର୍ଶନ୍ ନାଲକାଣ୍ଡେ, ରଶିଦ୍ କାନ୍ ଓ ନୂର୍ ଅହମ୍ମଦଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।
ବ୍ୟାଟିଂରେ ଦଳର ଓପନର ଶୁବମାନ ଗିଲ୍ଙ୍କୁ ବାଦ୍ ଦେଲେ ଆଉ କେହି ବିଶେଷ ସହଯୋଗ ଦେଇପାରି ନ ଥିଲେ । ଅନ୍ୟତମ ଓପନର ଋଦ୍ଧିମାନ୍ ସାହା ୨ଟି ଚୌକା ସହ ୧୨ ରନ୍ କରି ବିଦାୟ ନେବା ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୮ ରନ୍ରେ ଆଉଟ୍ ହୋଇଥିଲେ । ଶନାକା ଓ ଗିଲ୍ଙ୍କ ମଧ୍ୟରେ ୩୧ ରନ୍ର ଭାଗୀଦାରୀ ହେବା ପରେ ଶନାକା ଗୋଟିଏ ଲେଖାଏଁ ଚୌକା ଓ ଛକା ମାଧ୍ୟମରେ ୧୭ ରନ୍ କରି ପ୍ୟାଭିଲିଅନ୍ ଫେରିଥିଲେ । ମିଲର୍ ମାତ୍ର ୪ ରନ୍ କରିଥିବା ବେଳେ ରାହୁଲ୍ ଟେୱଟିଆ ୩ ରନ୍ର ଯୋଗଦାନ ଦେଇଥିଲେ ।
ଦଳୀୟ ସ୍କୋର୍ ୮୮ ଥିବା ସମୟରେ ଗିଲ୍ ୪ଟି ଚୌକା ଓ ଗୋଟିଏ ଛକା ସହ ୪୨ ରନ୍ରେ ପ୍ୟାଭିଲିଅନ୍ ଫେରିବା ଫଳରେ ଗୁଜରାଟ ବିଜୟ ସମ୍ଭାବନା ମଉଳି ଯାଇଥିଲା । ରଶିଦ୍ ଓ ବିଜୟ ଶଙ୍କର ସପ୍ତମ ୱିକେଟ୍ରେ ୩୮ ରନ୍ ଯୋଡ଼ିଥିଲେ ହେଁ ତାହା କେବଳ ପରାଜୟ ବ୍ୟବଧାନକୁ ହ୍ରାସ କରିଥିଲା । ଶଙ୍କର ୧୪ ରନ୍ କରିଥିବା ବେଳେ ରଶିଦ୍ ମାତ୍ର ୧୬ ବଲ୍ରେ ୩ଟି ଚୌକା ଓ ୨ଟି ଛକା ମାଧ୍ୟମରେ ୩୦ ରନ୍ କରିଥିଲେ । ଚେନ୍ନାଇ ପକ୍ଷରୁ ଦୀପକ ଚହର୍, ମହୀଶ ତିକ୍ଶାନା ଓ ମାଥିଶା ପାଥିରାନାଙ୍କୁ ୨ଟି ଲେଖାଏଁ ଏବଂ ତୁଷାର ଦେଶପାଣ୍ଡେଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା । ଏହି ମ୍ୟାଚ୍ରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ଓଡ଼ିଆ କ୍ରିକେଟର୍ ସୁଧାଂଶୁ ସେନାପତି ସିଧା ଥ୍ରୋ’ ମାଧ୍ୟମରେ ନାଲକାଣ୍ଡେଙ୍କୁ ରନ୍ଆଉଟ୍ କରିଥିଲେ ।