24.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶଅଗଷ୍ଟରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩, ଚଳିତ ବର୍ଷ ୧୯ ମିଶନ୍ ଯୋଜନା

ଅଗଷ୍ଟରେ ଲଞ୍ଚ୍ ହେବ ଚନ୍ଦ୍ରଯାନ-୩, ଚଳିତ ବର୍ଷ ୧୯ ମିଶନ୍ ଯୋଜନା

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ ବିଫଳ ହେବାର ଦୁଇବର୍ଷ ପରେ ଚଳିତ ବର୍ଷ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ ଲଞ୍ଚ୍ କରାଯିବ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଗୁରୁବାର ଏହି ସୂଚନା ଦିଆଯାଇଛି । ମୁନ୍ ମିଶନ୍‌ରେ ଲଗାତାର ବିଳମ୍ବକୁ ନେଇ କରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କେନ୍ଦ୍ର ବିଜ୍ଞାନ ଓ ପ୍ରାଦ୍ୟୋଗିକୀ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ଚନ୍ଦ୍ରଯାନ-୨ରୁ ମିଳିଥିବା ଶିକ୍ଷା ଏବଂ ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ଚନ୍ଦ୍ରଯାନ-୩ ଉପରେ ଚାଲିଥିବା କାର୍ଯ୍ୟରେ ପ୍ରଗତି ମିଳିଛି । କେତେକ ସମ୍ବନ୍ଧୀତ ହାର୍ଡୱେୟାର୍ ଓ ସେଗୁଡ଼ିକର ପରୀକ୍ଷଣ ସଫଳତାପୂର୍ବକ ପୂରା ହୋଇଛି ଏବଂ ଆଗାମୀ ଅଗଷ୍ଟ ମାସରେ ଚନ୍ଦ୍ରଯାନ-୩ର ଲଞ୍ଚ୍ ନିର୍ଦ୍ଧାରିତ କରାଯାଇଛି ।

ସେହିପରି ୨୦୨୨ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ମୋଟ ୧୯ଟି ମିଶନ୍‌ର ଯୋଜନା ରହିଛି ବୋଲି ମଧ୍ୟ ସେ ଗୃହକୁ ସୂଚନା ଦେଇଥିଲେ। ଏହା ମଧ୍ୟରେ ୮ ଲଞ୍ଚ୍ ଭେହିକଲ୍ ମିଶନ୍‌, ୭ ସ୍ପେଶ୍‌କ୍ରାଫ୍‌ଟ ମିଶନ୍ ଏବଂ ୪ଟି ଟେକ୍ନୋଲଜି ଡେମନ୍‌ଷ୍ଟେସନ୍ ମିଶନ୍ ସାମିଲ। ମନ୍ତ୍ରୀ ଆହୁରି କହିଥିଲେ ଯେ ଅନ୍ତରୀକ୍ଷ କ୍ଷେତ୍ରରେ ସୁଧାର ସହ ଅନ୍ତରୀକ୍ଷ ବିଭାଗ ଦାବୀ-ସଞ୍ଚାଳିତ ମଡେଲ୍ ଆଧାରରେ ସାଟେଲାଇଟ୍‌ର ଭବିଷ୍ୟତ ଆବଶ୍ୟକତାକୁ ସମୀକ୍ଷା କରାଯାଉଛି । କୋଭିଡ୍‌-୧୯ ମହାମାରୀ ଯୋଗୁଁ ଚାଲିଥିବା କେତେକ ମିଶନ୍ ପ୍ରଭାବିତ ହୋଇଛି ବୋଲି ସେ କହିଥିଲେ । ଚନ୍ଦ୍ରଯାନ-୩ ଗତବର୍ଷ (୨୦୨୧) ଲଞ୍ଚ୍ କରାଯିବାର ଥିଲା । ମାତ୍ର କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏଥିରେ ବିଳମ୍ବ ଘଟିଥିଲା ।

ସେହିପରି ଗତ ତିନିବର୍ଷରେ ଲଞ୍ଚ୍ ପାଇଁ ନିର୍ଦ୍ଧାରିତ ୧୫ଟି ଉପଗ୍ରହର ସୂଚୀ ମଧ୍ୟ ମନ୍ତ୍ରୀ ଗୃହକୁ ଦେଇଥିଲେ । ଏହିଗୁଡ଼ିକ ହେଲା ଇଓଏସ୍‌-୦୧ (୨୦୨୧ ଅଗଷ୍ଟ ୧୨), ଆମାଜୋନିଆ-୧ (୨୦୨୧ ଫେବୃଆରୀ ୨୮), ସତୀଶ ଧୱନ୍ ସ୍ୟାଟ୍‌-ଏସ୍‌ଡିସ୍ୟାଟ୍ (୨୦୨୧ ଫେବୃଆରୀ ୨୮), ୟୁନିଟିସ୍ୟାଟ୍ (୨୦୨୧ ଫେବୃଆରୀ ୨୮), ସିଏମ୍‌ଏସ୍‌-୦୧ (୨୦୨୦ ଡିସେମ୍ବର ୧୭), ଇଓଏସ୍‌-୦୧ (୨୦୨୦ ନଭେମ୍ବର ୭), ଜିସ୍ୟାଟ୍‌-୩୦ (୨୦୨୦ ଜାନୁଆରୀ ୧୭), ରିସ୍ୟାଟ୍‌-୨ ବିଆର୍ ୧ (୨୦୨୦ ଡିସେମ୍ବର ୧୧), କାଟୋସ୍ୟାଟ୍‌-୩ (୨୦୧୯ ନଭେମ୍ବର ୨୭), ଚନ୍ଦ୍ରଯାନ-୨ (୨୦୧୯ ଜୁଲାଇ ୨୨), ରିସ୍ୟାଟ୍‌-୨ବି (୨୦୧୯ ମେ ୨୨), ଏମିସ୍ୟାଟ୍ (୨୦୧୯ ଏପ୍ରିଲ୍‌୧), ଜିସ୍ୟାଟ୍‌-୩୧ (୨୦୧୯ ଫେବୃଆରୀ ୬, ମାଇକ୍ରୋସ୍ୟାଟ୍‌-ଆର୍ (୨୦୧୯ ଜାନୁଆରୀ ୨୪) ଏବଂ କଲାମ୍‌ସ୍ୟାଟ୍‌-ଭି୨ (୨୦୧୯ ଜାନୁଆରୀ ୨୪) ।

ଭାରତର ଦ୍ୱିତୀୟ ମୁନ୍ ମିଶନ୍ ଚନ୍ଦ୍ରଯାନ-୨ ୨୦୧୯ ଜୁଲାଇ ୨୨ ତାରିଖରେ ଶ୍ରୀହରିକୋଟାର ସତୀଶ ଧୱନ୍ ଅନ୍ତରୀକ୍ଷ କେନ୍ଦ୍ରରୁ ଲଞ୍ଚ୍ କରାଯାଇଥିଲା । ୨୦୧୯ ଅଗଷ୍ଟ ୨୦ ତାରିଖରେ ଏହାର ଅର୍ବିଟର୍ ସଫଳତାପୂର୍ବକ ଚନ୍ଦ୍ର କକ୍ଷରେ ପ୍ରବେଶ କରିଥିଲା । ତେବେ ସେପ୍ଟେମ୍ବର ୭ ତାରିଖରେ ଏହାର ଲ୍ୟାଣ୍ଡର୍ ‘ବିକ୍ରମ’ ଚନ୍ଦ୍ରପୃଷ୍ଟରେ ସଫ୍ଟ-ଲ୍ୟାଣ୍ଡିଂ କରିବାରେ ବିଫଳ ହୋଇଥିଲା । ଗନ୍ତବ୍ୟସ୍ଥଳଠାରୁ ୨.୧ କିମି ପୂର୍ବରୁ ଏହାର ସିଗ୍‌ନାଲ୍ ପଠାଇବା ବନ୍ଦ କରି ଦେଇଥିଲା । ଅବଶ୍ୟ ଏହି ଯାନର ଅର୍ବିଟର୍ ଏବେ ବି ଚନ୍ଦ୍ରପୃଷ୍ଠ ଉପରେ ମହଜୁଦ ରହିଛି । ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଏହାର ପ୍ରୟୋଗ ଚନ୍ଦ୍ରଯାନ-୩ ମିଶନ୍‌ରେ କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking