20.1 C
Bhubaneswar
Thursday, January 16, 2025
Homeଦ୍ୱାଦଶ ପରୀକ୍ଷା -୨୦୨୨ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ : ୨୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ : ୨୫ ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଭୁବନେଶ୍ୱର: ଚଳିତବର୍ଷ +୨ପରୀକ୍ଷା ଏପ୍ରିଲ ୨୮ ତାରିଖରୁ ଆରମ୍ଭ ହେବ । କଳା , ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷା ପରୀକ୍ଷା ପ୍ରଥମରୁ ଆରମ୍ଭ ହେବାକୁ ଥିବା ବେଳେ ବିଜ୍ଞାନ ଷ୍ଟ୍ରିମର ପରୀକ୍ଷା ସାମାନ୍ୟ ବିଳମ୍ବରେ ଆରମ୍ଭ ହେବ । ଚଳିତବର୍ଷ ପରୀକ୍ଷା ସମେତ ମୂଲ୍ୟାଙ୍କନ ଏବଂ ଫଳ ପ୍ରକାଶ କ୍ଷେତ୍ରରେ ଅଧିକ ସ୍ୱଚ୍ଛତା ରଖିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରୟାସ କରାଯାଉଛି । ତେଣୁ ରାଜ୍ୟର ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ଯେପରି ସବୁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ରହିବ ସେଥିପାଇଁ ଗତମାର୍ଚ୍ଚରେ ସବୁ ପରୀକ୍ଷାକେନ୍ଦ୍ରକୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା । ମାତ୍ର ରାଜ୍ୟର ପ୍ରାୟ ୬୫% କଲେଜରେ ସିସିଟିଭି ବ୍ୟବସ୍ଥା ରହିଥିବା ରିପୋର୍ଟ ମିଳିଥିଲା ।

ତେଣୁ ପୁଣି ସବୁ କଲେଜକୁ ଏସମ୍ପର୍କରେ +୨ ପରିଷଦ ପକ୍ଷରୁ ତାଗିଦ୍ କରାଯାଇଥିଲା । ୧୮ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କିଛି ଜିଲ୍ଲାରେ ସାମାନ୍ୟ ବୈଷୟିକ ସମସ୍ୟାକୁ ଗୁରୁତ୍ୱ ଦେଇ ଆସନ୍ତା ୨୫ତାରିଖ ସୁଦ୍ଧା +୨ ପରିଷଦକୁ ଜଣାଇବାକୁ କୁହାଯାଇଛି । ଯଦି ୨୫ତାରିଖ ସୁଦ୍ଧା ରିପୋର୍ଟ ନମିଳେ ତେବେ ସମ୍ପୃକ୍ତ ପରୀକ୍ଷାକେନ୍ଦ୍ରର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି । ଅନେକ କଲେଜରେ ନିଜସ୍ୱ ସିସିଟିଭି ରହିଥିବା ବେଳେ ଯେଉଁ ସବୁ କଲେଜରେ ଏହି ବ୍ୟବସ୍ଥା ନାହିଁ ସେମାନେ କ୍ରୟ କରିପାରିବେ ଅଥବା ଭଡାରେ ଆଣି ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ର ସମେତ ପ୍ରଶ୍ନପତ୍ର ରହୁଥିବା ଷ୍ଟ୍ରଙ୍ଗ୍‌ରୁମ୍‌, ପରୀକ୍ଷାକେନ୍ଦ୍ରର ମୁଖ୍ୟ ଫାଟକ ଓ କରିଡୋରରେ ସିସିଟିଭି ଲଗାଇବାକୁ କୁହାଯାଇଛି । କଲେଜକର୍ତ୍ତୃପକ୍ଷ ସିସିଟିଭି ଲଗାଇବା ପରେ ସାମ୍ସ ପକ୍ଷରୁ ଦିଆଯାଇଥିବା ଲିଙ୍କରେ ରିପୋର୍ଟ ଦାଖଲ କରିବେ ।

ଚଳିତ ବର୍ଷ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକଶିକ୍ଷାରେ ୩ ଲକ୍ଷ ୩୩ ହଜାର ପରୀକ୍ଷାର୍ଥି ପରୀକ୍ଷାଦେବେ । ସେଥିପାଇଁ ୧୧୩୩ଟି ପରୀକ୍ଷାକେନ୍ଦ୍ର ସମେତ ୬ଟି ସବ୍ ସେଣ୍ଟର ଏବଂ ୧୦୨ଟି ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ସେଣ୍ଟରର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯିବ ବୋଲି +୨ ପରିଷଦର ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି । ସେହିପରି ଆସନ୍ତା ୨୮ରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ମେ’ ୧୭ ତାରିଖ ପୂର୍ବରୁ ମୂଲ୍ୟାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଭାଲ୍ୟୁଏସନ ଲାଗି ସବୁ ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରାଯିବ ନାହିଁ । ଚଳିତବର୍ଷ ଇ-ମୂଲ୍ୟାଙ୍କନ ମେରିଟ ଟ୍ରାକ କମ୍ପାନୀକୁ ଦିଆଯାଇଛି । ଯଦିଓ ଓକାକ୍‌କୁ ଏହି ଦାୟିତ୍ୱ ଚଳିତବର୍ଷ ଦେବାକୁ ନିଷ୍ପତ୍ତି ହୋଇଥିଲା ତେବେ ମେରିଟ ଟ୍ରାକ୍ ପୂର୍ବରୁ ୩ ବର୍ଷ ଲାଗି ଚୁକ୍ତିନାମା ସ୍ୱାକ୍ଷର କରିଥିବାରୁ ଏଥର ମଧ୍ୟ ଇ-ଭାଲ୍ୟୁଏସନ କରିବାକୁ ସୁଯୋଗ ପାଇଛି । କରୋନା ଲାଗି ଗତ ୨ ବର୍ଷ ହେବ +୨ପରୀକ୍ଷା ବାତିଲ କରାଯାଇ ବିକଳ୍ପ ବ୍ୟବସ୍ଥାରେ ପିଲାଙ୍କୁ ସାର୍ଟିଫିକେଟ୍ ଦିଆଯାଇଛି । ଚଳିତବର୍ଷ ଅଫ୍‌ଲାଇନ୍‌ରେ ପରୀକ୍ଷା ପରିଚାଳନା କରାଯାଉଥିବା ବେଳେ ପରୀକ୍ଷାରେ ସ୍ୱଚ୍ଛତାକୁ +୨ ପରିଷଦ ପକ୍ଷରୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking