26.1 C
Bhubaneswar
Saturday, March 14, 2026
Homeଓଡିଶାହଟିଲା ଜାତିପ୍ରଥା, ଜିତିଲା ମାନବିକତା; ୩ ମାସ ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଫେରିଲେ ପିଲା

ହଟିଲା ଜାତିପ୍ରଥା, ଜିତିଲା ମାନବିକତା; ୩ ମାସ ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଫେରିଲେ ପିଲା

ରାଜନଗର: ଶେଷରେ ହଟିଲା ଜାତିପ୍ରଥା, ଜିତିଲା ମାନବିକତା। ଦୀର୍ଘ ପ୍ରାୟ ୩ ମାସ ପରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ୍ ଘଡିଆମାଳ ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଫେରିଲେ ପିଲା। କୁତ୍ସିତ ଜାତିପ୍ରଥା ପରମ୍ପରାକୁ ନେଇ ଅଙ୍ଗନୱାଡ଼ି କେନ୍ଦ୍ରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାର ଅନ୍ତ ଘଟିଛି। ଅନୁସୂଚିତ ଜାତିର ଅଙ୍ଗନବାଡ଼ି ସହାୟିକା ଶର୍ମିଷ୍ଠା ସେଠୀ, ଆଜି ନିଜେ ରୋଷଇ କରି ପିଲାଙ୍କୁ ନିଜ ହାତରେ ଖାଦ୍ୟ ପରଷି ଦେବା ପରେ ପୁଣି ସ୍ୱାଭାବିକ ହୋଇଛି ଅଙ୍ଗନବାଡ଼ି କେନ୍ଦ୍ର।

ପିଲାଙ୍କୁ କେନ୍ଦ୍ରକୁ ଆଣିବାକୁ ସକାଳୁ ସକାଳୁ ଗାଁରେ ଡେରା ପକାଇ ସରିଥିଲା ଶାସନ ଓ ପ୍ରଶାସନ। ସ୍ଥାନୀୟ ବିଧାୟକ, କେନ୍ଦ୍ରାପଡ଼ା ସିଡିପିଓ ଆଉ ରାଜନଗର ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ଗାଁର ନେତା ଓ ମୁରବୀମାନେ ପିଲାଙ୍କୁ କୋଳେଇ କାଖେଇ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଣିଥିଲେ। ଏତେ ଦିନ ପରେ କୁନି କୁନି ପିଲାମାନେ କେନ୍ଦ୍ରକୁ ଫେରୁଥିବାରୁ ସେମାନଙ୍କୁ ଫୁଲ ଚନ୍ଦନ ଲଗେଇ ଶ୍ରେଣୀଗୃହକୁ ପାଛୋଟି ନେବାକୁ ପ୍ରସ୍ତୁତ ଥିଲେ ସହାୟିକା ଶର୍ମିଷ୍ଠା ସେଠୀ। ପିଲାଏ ପହଞ୍ଚିବା ପରେ ସେମାନଙ୍କୁ ପାଠ ପଢାଇଥିଲେ ନିଜେ ସିଡିପିଓ ଦିପାଳୀ ମିଶ୍ର। ଆଉ ଏପଟେ ଆରମ୍ଭ ହୋଇଥିଲା ରୋଷେଇ କାର୍ଯ୍ୟ। ଶର୍ମିଷ୍ଠା ପିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ପରେ ଏକାଠି ଖାଇବାକୁ ବସିଥିଲେ ସମସ୍ତେ।

ଆଉ ଶର୍ମିଷ୍ଠା ନିଜ ହାତରେ ପିଲାଙ୍କୁ ଖୁଆଇ ଦେବା ସହ ସମସ୍ତଙ୍କ ଗେହ୍ଲୀ ଭଉଣୀ ଭଳି ସବୁପିଲାଙ୍କୁ ସ୍ନେହ ଆଉ ଆଦରରେ ଖୁଆଇ ଦେବାର ସୁଯୋଗ ପାଇଥିବାରୁ ତାଙ୍କ ଆଖିରେ ଆସିଯାଇଥିଲା ଆନନ୍ଦର ଅଶ୍ରୁ। ଗତ ନଭେମ୍ବର ୨୦ରେ ନୂଆଗାଁ ଅଙ୍ଗନବାଡି କେନ୍ଦ୍ରରେ ନୂଆ କରି ସହାୟିକା ଭାବେ ନିଯୁକ୍ତି ପାଇଥିଲେ ଏଇ ଗାଁର ଶର୍ମିଷ୍ଠା ସେଠୀ। ତେବେ ସେ ଅନୁସୂଚିତ ଜାତିର ହୋଇଥିବାରୁ ତାଙ୍କ ହାତରନ୍ଧା ରୋଷେଇ ଖାଇବା ଓ ତାଙ୍କ ହାତରୁ ଅଣ୍ଡା ଛତୁଆ ଆଦି ଗ୍ରହଣ କରିବାକୁ ଅଭିଭାବକମାନେ ଅରାଜି ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଅଙ୍ଗନୱାଡ଼ି କେନ୍ଦ୍ରର ଅସୁବିଧା ଓ ଗାଁ ସମସ୍ୟାକୁ ଆଳ କରି ଆଉ କେନ୍ଦ୍ରକୁ ପିଲାଙ୍କୁ ଛାଡ଼ିନଥିଲେ ଅଭିଭାବକ। ଯାହାକୁ ନେଇ ସୃଷ୍ଟି ହୋଇଥିଲା ଅଚଳାବସ୍ଥା। ଏକବିଂଶ ଶତାବ୍ଦୀର ଏ ମଧ୍ୟଯୁଗୀୟ ଜାତିପ୍ରଥା ଓ ଛୁଆଁ ଅଛୁଆଁ ଭେଦଭାବକୁ ନେଇ ନୂଆଗାଁ ଖବର ରାଜ୍ୟସଭାରେ ଉଠିବା ପରେ ଜାତୀୟ ଗଣମାଧ୍ୟମରେ ବି ଖୁବ୍ ଚର୍ଚ୍ଚା ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking