ନୂଆଦିଲ୍ଲୀ: ଜାତିଗତ ଜନଗଣନାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଶୀଘ୍ର ଏନେଇ ସମସ୍ତ ରାଜନୈତିକ ଦଳଙ୍କ ସହ ଆଲୋଚନା ପାଇଁ କଲେ ଅନୁରୋଧ । ତେଲେଙ୍ଗାନା ମଡେଲକୁ ଅନୁସରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଦେଲେ ପରାମର୍ଶ । ଜାତି ଜନଗଣନାର ଦାବି ଉଠାଇବାକୁ ନେଇ କଂଗ୍ରେସ ଏବଂ ଏହାର ନେତୃତ୍ୱକୁ ମଧ୍ୟ ବିଜେପିର ନେତାମାନେ ବିରୋଧ କରୁଥିଲେ । ଆଜି ଗଭୀର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣର ସ୍ୱାର୍ଥରେ ଆପଣ ଏହାକୁ ଗ୍ରହଣ କରିଛନ୍ତି ଯାହା କଂଗ୍ରେସର ବିଜୟ ବୋଲି ଖଡ଼ଗେ କହିଛନ୍ତି । ଖାଲି ଏତିକି ନୁହେଁ ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି କି, ଜନଗଣନା ପ୍ରଶ୍ନାବଳୀର ଡିଜାଇନ୍ ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତ ସରକାର ତେଲେଙ୍ଗାନା ମଡେଲ ବ୍ୟବହାର କରିବା ଉଚିତ ବୋଲି ଚିଠି ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଏଆଇସିସି ସଭାପତି ।