ନୂଆଦିଲ୍ଲୀ : ଲଗାଣ ବର୍ଷାରେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅଣାୟତ୍ତ ହୋଇପଡିଛି । ବୁଧବାର ଯମୁନା ନଦୀର ଜଳ ଦିଲ୍ଲୀ ସହର ମଧ୍ୟରେ ପ୍ରବେଶ କରିଛି । କେତେକ ରାସ୍ତାରେ ବନ୍ୟାଜଳ ପ୍ରବାହିତ ହୋଇ ନଦୀର ଭ୍ରମ ସୃଷ୍ଟି କରିଛି । ଫଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସୂଚନାଯୋଗ୍ୟ ଗତ ଶନିବାରଠାରୁ ଆରମ୍ଭ ହୋଇଥିବା ବର୍ଷା ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭଙ୍ଗ କରିଛି । ବୁଧବାର ସନ୍ଧ୍ୟା ସୁଦ୍ଧା ରିଙ୍ଗ୍ ରୋଡ୍ ଟପି ନଦୀଜଳ ରୋହିଣୀ, ଆଇଆଇଟି ଫ୍ଲାଏଓଭର ଏବଂ କଶ୍ମୀରୀ ଗେଟ୍ସ୍ଥିତ ଆଇଏସ୍ବିଟି (ଆନ୍ତଃ ରାଜ୍ୟ ବସ୍ ଟର୍ମିନସ୍)ରେ ଲହଡି ମାରୁଥିବା ଲକ୍ଷ୍ୟ କରାଯାଇଛି । ଦିଲ୍ଲୀକୁ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ଏହି ତିନିଟି ସ୍ଥାନରେ ପ୍ରତ୍ୟେକ ଦିନ ଯାନବାହନର ଅସୁମାରୀ ଭିଡ ପରିଲକ୍ଷିତ ହୋଇଥାଏ ।
ବର୍ତ୍ତମାନ ସେଠାରେ ପାଣି ପ୍ରବେଶ କରିଥିବାରୁ ଏହି ରୁଟ୍ ବ୍ୟବହାର ନକରିବାକୁ ଦିଲ୍ଲୀବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ସୁଦ୍ଧା ଯମୁନା ନଦୀର ଜଳସ୍ତର ୨୦୭.୭୧ ମିଟରକୁ ବୃଦ୍ଧି ପାଇଛି । ପୂର୍ବରୁ ୧୯୭୮ ମସିହାରେ ଏହି ରେକର୍ଡ ୨୦୭,୪୯ ମିଟର ରହିଥିଲା । ଏହି ପରିପ୍ରେକ୍ଷୀରେ ନଦୀକୂଳିଆ ଏବଂ ତଳୁଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ତୁରନ୍ତ ସେହି ସ୍ଥାନ ଛାଡିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି । ହରିୟାଣାର ହତ୍ନିକୁଣ୍ଡ ଡ୍ୟାମରୁ ଅଧିକ ପାଣି ନଛାଡିବାକୁ ହରିୟାଣା ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପୁରୁଣା ଦିଲ୍ଲୀର ଅଧିକାଂଶ ଦୋକାନରେ ବନ୍ୟା ଜଳ ପ୍ରବେଶ କରିଥିବାରୁ ଦୋକାନୀମାନେ ସାମଗ୍ରୀ ସ୍ଥାନାନ୍ତର କରିବାର ସୁଯୋଗ ପାଉନାହାନ୍ତି । ବାସଗୃହରେ ବନ୍ୟା ଜଳରେ ପ୍ରବେଶ କରିଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଥିବା ଲକ୍ଷ୍ୟ କରାଯାଇଛି । ବନ୍ୟାରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ଦିଲ୍ଲୀର ଦୋକାନୀ ସଂଘ ପକ୍ଷରୁ କୁହାଯାଇଛି ।