ପାଟନା: ପ୍ରଥମେ ବୟଫ୍ରେଣ୍ଡ୍କୁ ଡାକି କୋର୍ଟରେ ବାହା ହେଲେ, ଏହାପରେ ଉଭୟ ହୋଟେଲ୍ ଗଲେ । ହେଲେ ସେଠାରେ କୌଣସି କଥାକୁ ନେଇ ଯୁବକ ଓ ଯୁବତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କଥା ଏତେ ବାଟ ଚାଲିଗଲା ଯେ, ଯୁବତୀ ଜଣକ ଛୁରୀରେ ବୟଫ୍ରେଣ୍ଡ୍ର ପ୍ରାଇଭେଟ୍ ପାର୍ଟ କାଟି ଦେଇଥିବା ଅଭିଯୋଗ ହୋଇଛି । ବିହାରର ରାଜଧାନୀ ପାଟନାରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି । ଯୁବକ ଜଣକ ସିଆର୍ପିଏଫ୍ ଯବାନ ଥିବାବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ପାଟନା ମେଡିକାଲ୍ କଳେଜରେ ସେ ଚିକିତ୍ସିତ ହେଉଛନ୍ତି । ବୁଧବାର ପାଟନାର ଗାନ୍ଧୀ ମୈଦାନ ଥାନା ଅନ୍ତର୍ଗତ ଏକ୍ଜିଭିସନ୍ ରୋଡ୍ ସ୍ଥିତ ଏକ ହୋଟେଲ୍ରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ଯୁବକ ଜଣକ ସିଆର୍ପିଏଫ୍ରେ କାର୍ଯ୍ୟରତ ଥିବାବେଳେ କନଷ୍ଟେବଲ୍ ଭାବେ ଛତିଶଗଡ଼ର ସୁକ୍ମାରେ ତାଙ୍କର ପୋଷ୍ଟିଂ ହୋଇଥିଲା ।
ଯୁବତୀଙ୍କ ଘର ଦରଭଙ୍ଗାରେ ଓ ଗତ ୪ ବର୍ଷ ହେବ ସେ ପାଟନାରେ ରହି ପଢ଼ୁଛନ୍ତି । ପୋଲିସକୁ ଦେଇଥିବା ବୟାନରେ ଯବାନ କହିଛନ୍ତି, ଗତ ୩ ବର୍ଷ ହେବ ଉକ୍ତ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଚାଲିଥିଲା । ହେଲେ ଯବାନଙ୍କ ପରିବାର ଲୋକ ତାଙ୍କ ବିବାହ ଅନ୍ୟତ୍ର ସ୍ଥିର କରିଥିଲେ ଓ ଜୁନ୍ ୨୩ରେ ତାଙ୍କର ବିବାହ ହୋଇଥାନ୍ତା । ହେଲେ ତା’ପୂର୍ବରୁ ତାଙ୍କ ସହ ଏଭଳି ଘଟଣା ଘଟିଛି । ଶିଭହରରେ ରହୁଥିବା ଜଣେ ଯୁବତୀଙ୍କ ସହ ଯବାନଙ୍କ ବିବାହ ସ୍ଥିର ହୋଇଥିଲା । ହେଲେ ଏହି କଥା ଯବାନଙ୍କ ଗର୍ଲଫ୍ରେଣ୍ଡ୍ ଜାଣିବା ପରେ ରାଗିବା ସହ ଆତ୍ମହତ୍ୟା ଧମକ ଦେଇଥିଲେ । ଫୋନ୍ କରି ଯୁବତୀ ଜଣକ ଯବାନଙ୍କୁ କହିଥିଲେ- ‘ଶୀଘ୍ର ଆସି ପହଞ୍ଚ, ନହେଲେ ଆତ୍ମହତ୍ୟା କରିଦେବି’ । ଏହାପରେ ଯବାନ ଜୁନ୍ ୩ରେ ସୁକ୍ମାରୁ ପାଟନାରେ ପହଞ୍ଚିଥିଲେ । ଯୁବତୀ ଜଣକ ବାରମ୍ବାର ଚାପ ପକାଇବା ପରେ ଜୁନ୍ ୫ରେ ପାଟନା ସହରର କୋର୍ଟରେ ଉଭୟ ବାହା ହୋଇଥିଲେ । ବିବାହ ପରେ ଉଭୟ ଏକ ହୋଟେଲ୍କୁ ଯାଇଥିଲେ । ଘରେ ସ୍ଥିର କରିଥିବା ବିବାହକୁ ଭାଙ୍ଗି ଦେବା ଲାଗି ଯୁବତୀ ଜଣକ ଯବାନଙ୍କୁ କହିଥିଲେ । ହେଲେ ଏଥିରେ ସେ ରାଜି ହୋଇନଥିଲେ ।