୨୦୨୬-୨୭ ପାଇଁ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ
ଧାର୍ଯ୍ୟ ସମୟସୀମା: ୧ ନଭେମ୍ବର ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୭
ଡିଜିଟାଲ୍ ସମନ୍ୱୟ ଓ କ୍ଷେତ୍ରସ୍ତରୀୟ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ
ଡିଜିଟାଲ୍ କ୍ରପ୍ ସର୍ଭେ ତଥ୍ୟ ଏହି ଯାଞ୍ଚ ପ୍ରକ୍ରିୟାକୁ ମଜଭୂତ୍ କରିପାରିବ
ଭୁବନେଶ୍ୱର: ଓଡ଼ିଶା ସରକାର ଖରିଫ୍ ବିପଣନ ୨୦୨୬-୨୭ ବର୍ଷ ପାଇଁ ମୋଟ୍ ୭୮ ଲକ୍ଷ ମେଟ୍ରିକ ଟନ ଧାନ ବା ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି। ଏହାର ଧାର୍ଯ୍ୟ ସମୟସୀମା ୧ ନଭେମ୍ବର ୨୦୨୬ ରୁ ୩୧ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ରହିଛି। ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଆସିଥିବା ଖାଦ୍ୟ ଓ ଧାନ ସଂଗ୍ରହଣ ନୀତିରେ କ୍ୟାବିନେଟ୍ ମୋହର ବାଜିଛି। ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦ ବିଭାଗର ୧୩ ପ୍ରସ୍ତାବରେ କ୍ୟାବିନେଟ୍ ମୋହର ବାଜିଛି। ବୈଠକ ପରେ ମୁଖ୍ୟଶାସନ ସଚିବ ଅନୁ ଗର୍ଗ କହିଛନ୍ତି ଯେ, ଖରିଫ୍ ବିପଣନ ଋତୁ ୨୦୨୬-୨୭ ପାଇଁ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ଖରିଫ ବିପଣନ ୨୦୨୬-୨୭ ପାଇଁ ଏକ ବ୍ୟାପକ, କୃଷକ-କେନ୍ଦ୍ରିକ ଏବଂ ପ୍ରଯୁକ୍ତି-ଭିଭିକ ଖାଦ୍ୟ ଓ ଧାନ ସଂଗ୍ରହ ନୀତି ପ୍ରଣୟନ କରାଯାଇଛି। ନ୍ୟୁନତମ ସହାୟକ ମୂଲ୍ୟ (ଏମ୍ଏସ୍ପି)ରେ ସ୍ୱଚ୍ଛ ଓ ନିରପେକ୍ଷ ଧାନ ସଂଗ୍ରହ, କୃଷକମାନଙ୍କୁ ସମୟୋଚିତ ଅର୍ଥ ପ୍ରଦାନ, ଦକ୍ଷ ଚାଉଳ ମିଲିଂ ଏବଂ ପିଡ଼ିଏସ୍ ଓ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଅଧୀନରେ ନିରବଚ୍ଛିନ୍ନ ଚାଉଳ ଯୋଗାଣ ନିଶ୍ଚିତ କରିବା ଏହି ନୀତିର ମୁଖ୍ୟ ଲକ୍ଷ୍ୟ ରହିଛି।
ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ମୋଟ୍ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି, ଯାହା ପ୍ରାୟ ୭୮ ଲକ୍ଷ ମେଟ୍ରିକ ଟନ ଧାନ ସହିତ ସମାନ। ରାଜ୍ୟ ସରକାରଙ୍କ ନିଷ୍ପରି ଅନୁଯାୟୀ, ଏମ୍ଏସ୍ପି ଓ ଇନ୍ପୁଟ ସହାୟତା ମିଶାଇ ଚାଷୀମାନେ କ୍ସିଣ୍ଟାଲ ପ୍ରତି ୩,୧୦୦ ଟଙ୍କା ପାଇବେ। ତେଣୁ ଡିଜିଟାଲ୍ ସମନ୍ୱୟ ଓ କ୍ଷେତ୍ରସ୍ତରୀୟ ଯାଞ୍ଚ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ପି-ପାସ, ଆଧାର ଇ-କେୱାସି, ଭୁଲେଖ ଏବଂ ଏନ୍ପିସିଆଇର ସମନ୍ୱିତ ବ୍ୟବହାର ଦ୍ୱାରା ପ୍ରକ୍ରିୟାରେ ସ୍ୱଚ୍ଛତା ଆହୁରି ସୁଦୃଢ଼ ହେବ। ପଞ୍ଜୀକୃତ ଜମିର ବିବରଣୀ ସହ ଧାନ ଚାଷ ହେଉଥିବା ଅଞ୍ଚଳର ତଥ୍ୟକୁ ପରସ୍ପର ଯାଞ୍ଚ କରିବା ପାଇଁ ଉପଗ୍ରହ ଚିତ୍ର ମାଧ୍ୟମରେ ଧାନ ଚାଷ ଅଞ୍ଚଳର ୧୦୦% କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସତ୍ୟାସତ୍ୟ ସ୍ପଷ୍ଟ ହୋଇପାରିବ। ଡିଜିଟାଲ୍ କ୍ରପ୍ ସର୍ଭେ ତଥ୍ୟ ଏହି ଯାଞ୍ଚ ପ୍ରକ୍ରିୟାକୁ ମଜଭୂତ୍ କରିପାରିବ।
ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ସମାବେଶୀ ଭାଗଚାଷୀ ପଞ୍ଜୀକରଣ କରାଯାଉଛି। ଜମି ମାଲିକଙ୍କ ଅନୁମୋଦନ ପାଇଁ ନିର୍ଦ୍ଧାରିତ ଡିଜିଟାଲ ସମ୍ମତି ଏବଂ ବାୟୋମେଟ୍ରିକ,ମୋବାଇଲ୍ ପ୍ରମାଣୀକରଣ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଭାଗଚାଷୀଙ୍କ ପାଇଁ ପଞ୍ଜୀକରଣ ଏବଂ ଧାନ ସଂଗ୍ରହ ବ୍ୟବସ୍ଥାକୁ ସମ୍ପ୍ରସାରିତ କରାଯାଇଛି। ଧାନ କ୍ରୟର ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଏନପିସିଆଇ ମାଧ୍ୟମରେ ଚାଷୀଙ୍କ ଆଧାର-ସଂଯୋଗୀକୃତ ବ୍ୟାଙ୍କ ଖାତାକୁ ଏମ୍ଏସ୍ପି ଅର୍ଥ ସିଧାସଳଖ ଜମା କରାଯିବ। ପ୍ୟାକ୍ସ ଓ ଲ୍ୟାମ୍ପସ ପାଣି ପଞ୍ଚାୟତ ମାଧ୍ୟମରେ ଧାନ କ୍ରୟ କେନ୍ଦ୍ର ଗୁଡ଼ିକ ସ୍ଥାନୀୟସ୍ତରରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସହଜ କରିବ । କ୍ରୟ ତାରିଖ ଏବଂ ପରିମାଣ ସମ୍ପର୍କରେ ଚାଷୀଙ୍କୁ ଆଗୁଆ ଓଡ଼ିଆ ଏସଏମଏସ ପଠାଯିବ। ୫,୦୦୦ ମେଟ୍ରିକ ଟନ୍ରୁ ଅଧିକ କ୍ଷମତା ବିଶିଷ୍ଟ ପିପିସି ଗୁଡ଼ିକରେ ଏଫଏକ୍ଯୁ ପରୀକ୍ଷଣ, ଏଆଇ ଆଧାରିତ ଗ୍ରେନ ଅନାଲିସିସ୍, ସିସିଟିଭି ଦ୍ୱାରା ତନଖି କରାଯିବ। ଚାଷୀଙ୍କ ସହାୟତା ପାଇଁ ଜିଲ୍ଲା କଣ୍ଟ୍ରୋଲ୍ ରୁମ୍ ଏବଂ ଟୋଲ୍-ଫ୍ରି ନମ୍ବର ୧୯୬୭ କାର୍ଯ୍ୟ କରିବ ବେଆଇନ ଭାବେ ବାହାର ରାଜ୍ୟରୁ ଧାନ ଆମଦାନୀ ରୋକିବା ପାଇଁ ସୀମାନ୍ତ ଯାଞ୍ଚ ଓ ସିସିଟିଭି ବ୍ୟବସ୍ଥା କରାଯିବ।
ମୁଖ୍ୟଶାସନ ସଚିବ କହିଛନ୍ତି ଯେ, ବିପରଣ ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଯୋଗ୍ୟ ଚାଷୀ ଯେପରି ଏମ୍ଏସ୍ପିରେ ନିଜର ବଳକା ଧାନ ବିକ୍ରି କରିବାର ସୁଯୋଗ ପାଇବେ, ତୁରନ୍ତ ଅର୍ଥ ପ୍ରାପ୍ତ କରିବେ ଏବଂ ଏକ ଡିଜିଟାଲ୍, ସ୍ୱଚ୍ଛ, ଦକ୍ଷ ଓ ଉତ୍ତରଦାୟୀ ସଂଗ୍ରହ ବ୍ୟବସ୍ଥାରୁ ଲାଭବାନ ହେବେ ସେଥିପ୍ରତି କଡ଼ା ନଜର ରଖାଯାଇଛି। ସେହିପରି ଓଡ଼ିଶା ଏନ୍ଏଫ୍ଏସ୍ଏ , ଏସ୍ଏଫ୍ଏସ୍ଏସ୍ ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ନିଜର ଆବଶ୍ୟକତା ପୂରଣ କରିବା ଜାରି ରଖିବ ଏବଂ ବଳକା ଚାଉଳ କେନ୍ଦ୍ରୀୟ ପୁଲ୍ ପାଇଁ ଏଫ୍ସିଆଇକୁ ହସ୍ତାନ୍ତର କରାଯିବ। ତେବେ ଧାନ ସଂଗ୍ରହ ସମୟସୀମା ୧ ନଭେମ୍ୱର ୨୦୨୬ ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୭ ଶେଷ କରିବାକୁ ଦିନ ଧାର୍ଯ୍ୟ ହୋଇଛି ବୋଲି ଶ୍ରୀମତୀ ଗର୍ଗ ସ୍ପଷ୍ଟ କରିଛନ୍ତି।










