ଅନୁଗୋଳ : ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ଅଞ୍ଚଳର ଲୁହାମଣ୍ଡା ନିକଟରେ ଟ୍ରକ ପଛରେ ଧକ୍କା ଦେଲା ଯାତ୍ରୀବାହୀ ବସ। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଗୁରୁତର ହୋଇଛନ୍ତି। ସୂଚନା ଯେ, ଗତକାଲି ରାତ୍ର ୧୦ ଘଟିକା ବେଳେ ଭୁବନେଶ୍ବର ବସ ଷ୍ଟାଣ୍ଡରୁ ଝାରସୁଗୁଡ଼ା ଅଭିମୁଖେ ପାଖାପାଖି ୨୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଦିଲଖୁସ ନାମକ ଏକ ବସ ବାହାରିଥିଲା। ବସଟି ୧୭୦ କିମି ଯାତ୍ରା କରିବା ପରେ ତଥା ହଣ୍ଡପା ଥାନା ଲୁହାମଣ୍ଡା ଓଭର ବ୍ରିଜ ନିକଟରେ ରାସ୍ତା ଉପରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକକୁ ବସଟି ପଛରୁ ଧକ୍କା ଦେଇଥିଲା। ଯାହା ଫଳରେ ବସରେ ବସିଥିବା ୧୪ ଜଣ ଯାତ୍ରୀ ଗୁରୁତର ହୋଇ ଥିବା ବେଳେ ଅନ୍ୟମାନେ ଆହତ ହୋଇଯାଇଥିଲେ। ଦୁର୍ଘଟଣାର ଖବର ପାଇ ହଣ୍ଡପା ଥାନା ଅଧିକାରୀ ରାଜେଶ ସତପଥୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହଣ୍ଡପା ପୁଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ। ବସର ଡ୍ରାଇଭର ବସ ଭିତରେ ଚାପି ହୋଇ ରହିଥିବାରୁ ତାଙ୍କୁ ଅଗ୍ନିଶମ ବିଭାଗ ପ୍ରାୟ ଦୁଇ ଘଣ୍ଟା ପରିଶ୍ରମ ପରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ। ଏହି ଦୁର୍ଘଟଣାରେ ଗୁରୁତର ୧୪ ଜଣଙ୍କ ମଧ୍ୟରୁ ବସର ହେଲପରଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏପଟେ ଦୁଇ ଗାଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ କରାଯାଉଥିବା ନେଇ ଥାନା ଅଧିକାରୀ କହିଛନ୍ତି।










