ନୂଆଦିଲ୍ଲୀ : ପାକିସ୍ତାନର ବନ୍ୟା ପ୍ରଭାବିତ ସିନ୍ଧ ପ୍ରଦେଶରେ ଏକ ବଡ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ମିନିବସ୍ ପାଣି ଭର୍ତ୍ତି ଖାଲରେ ଖସିପଡିବା କାରଣରୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଭିତରେ ୧୨ ପିଲା ଅଛନ୍ତି ବୋଲି ଜଣାପଡିଛି । ଗୁରୁବାର ଦିନ ଏହି ଘଟଣା ଘଟିଛି । ସକାଳୁ ତୀର୍ଥଯାତ୍ରୀଙ୍କୁ ନେଇ ଖୈରପୁରରୁ ସେହୱାନ ସରିଫ ପର୍ଯ୍ୟନ୍ତ ଯାଉଥିବା ଏହି ଯାତ୍ରୀବାହୀ ଭ୍ୟାନ ଖୈରପୁର ନିକଟ ସିନ୍ଦୁ ରାଜପଥରେ ବନ୍ୟାଜଳ ପାଇଁ ଖାଲରେ ପଡ଼ିଯାଇଥିଲା ।
ସ୍ଥାନୀୟ ପୋଲିସ କହିଛି, ଯେ ୧୨ ଜଣ ଶିଶୁଙ୍କ ସମେତ ୨୦ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତଦେହ ଗୁଡ଼ିକୁ ବାହାର କରି ସୟଦ ଅବଦୁଲ୍ଲା ଶାହା ପ୍ରତିଷ୍ଠାନ ସେହୱାନ ସରିଫଙ୍କ ନିକଟକୁ ପଠାଯାଇଥିଲା । ପୋଲିସ ଅଧିକାରୀ ଇମ୍ରାନ କୁରେଶି କହିଛନ୍ତି ଯେ ଏହି ଭ୍ୟାନଟି ଖୈରପୁର ଜିଲ୍ଲାରୁ ଯାତ୍ରୀମାନଙ୍କୁ ନେଇ ସେହୱାନର ଏକ ପ୍ରସିଦ୍ଧ ସୁଫି ଦରଗାକୁ ନେଇ ଯାଉଥିଲା। ସିନ୍ଧୁ ନଦୀରେ ଜଳ ପ୍ରବାହକୁ ତୀବ୍ର କରିବା ପାଇଁ ସିନ୍ଦୁ ରାଜପଥ ପାଖରେ ୩୦ ଫୁଟ ଚଉଡା ଖାଲ ନିର୍ମାଣ ହୋଇଥିଲା । ଏହି ଗର୍ତ୍ତଟି ପ୍ରାୟ ଦୁଇମାସ ହେବ ପାଣିରେ ପରିପୂର୍ଣ୍ଣ ହୋଇରହିଥିଲା ।
ଦୀର୍ଘ ତିନି ଦଶନ୍ଧି ମଧ୍ୟରେ ଦେଶର ସବୁଠାରୁ ଭୟଙ୍କର ବନ୍ୟା ଯୋଗୁଁ ପାକିସ୍ତାନ ଅପ୍ରତ୍ୟାଶିତ ଦୁଃଖ ଦେଇ ଗତି କରିଛି । ଏହି ବନ୍ୟାରେ ୧୬ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇ ଛି । ଏଥିରେ ଅନେକ ରାସ୍ତା ଓ ବ୍ରିଜ ନଷ୍ଟ ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଜାତୀୟ ରାଜପଥ ପ୍ରାଧିକରଣର ଅବହେଳା ହେତୁ ଏହି ଦୁର୍ଘଟଣା ଘଟିଛି ।