ପାଟଣା: ମୃତ ବଡ଼ ଭଉଣୀଙ୍କ ବ୍ୟାଙ୍କ ଜମା ଖାତାରେ ଥିବା ଟଙ୍କା ଉଠାଇବାକୁ ସାନ ଭାଇକୁ ପ୍ରମାଣ ମାଗିଲେ ବ୍ୟାଙ୍କ ପରିଚାଳକ। ତେବେ ମୃତ୍ୟୁ ପ୍ରମାଣପତ୍ର ପରିବର୍ତ୍ତେ ବଡ଼ ଭଉଣୀର କବରରୁ କଙ୍କାଳ କାଢ଼ି ସାନଭାଇ ସିଧା ପହଞ୍ଚିଥିଲେ ବ୍ୟାଙ୍କରେ। ବଡ଼ ଭଉଣୀର କଙ୍କାଳ ବ୍ୟାଙ୍କ ପରିଚାଳକଙ୍କୁ ଦେଖାଇ ଜମା ଖାତାରେ ଥିବା ଟଙ୍କା ପ୍ରଦାନ କରିବାକୁ ସାନଭାଇ ଦାବି କରିବା ଚର୍ଚ୍ଚାର ବିଷୟ ହୋଇଛି।
ଖବରରୁ ପ୍ରକାଶ ଯେ, ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଜିତୁ ମୁଣ୍ଡା (୫୦)ଙ୍କର ବଡ଼ ଭଉଣୀ କାଲରା ମୁଣ୍ଡା (୫୬)ଙ୍କର ଗତ ଜାନୁଆରୀ ୨୬ ତାରିଖରେ ପେଟ ରୋଗ କାରଣରୁ ମୃତ୍ୟୁ ଘଟିଥିଲା। ତାଙ୍କ ନାମରେ ବଳଦ ବିକ୍ରି ବାବଦ ପାଖାପାଖି ୨୦ ହଜାର ଟଙ୍କା ମଲ୍ଲିପଶି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଜମା ରହିଥିଲା। ଏହି ଟଙ୍କା ଉଠାଇବା ପାଇଁ ସାନ ଭାଇ ଜିତୁ ବାରମ୍ବାର ବ୍ୟାଙ୍କକୁ ଦଉଡ଼ି ନିରାଶ ହୋଇଥିଲେ। ଶେଷରେ ବ୍ୟାଙ୍କ ପରିଚାଳକ ଭଉଣୀକୁ ନେଇକରି ଆସ, ଟଙ୍କା ଦେବି କହିବାରୁ ସୋମବାର ଜିତୁ ମୁଣ୍ଡା ଭଉଣୀର କଙ୍କାଳକୁ କବରରୁ ବାହାର କରି ଏକ ବସ୍ତାରେ ପୂରାଇ ବ୍ୟାଙ୍କକୁ ଆଣିଥିଲେ। ବ୍ୟାଙ୍କ ପିଣ୍ଡାରେ କଙ୍କାଳ ରଖି ଭଉଣୀକୁ ଦେଖ ଓ ଟଙ୍କା ଦିଅ ବୋଲି ଶାଖା ପରିଚାଳକଙ୍କୁ କହିଥିଲେ। ଘଟଣା ପ୍ରଚାରିତ ହେବା ପରେ ପାଟଣା ଥାନାଧିକାରୀ କିରଣ ପ୍ରସାଦ ସାହୁ ଓ ଏଏସଆଇ ଗୌରହରି ଗରଡ଼ିଆ ମଲ୍ଲିପଶିରେ ପହଞ୍ଚି ଜିତୁଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ମୃତ ଭଉଣୀର ଜମା ଖାତାର ନୋମିନି କିଏ ଓ ଟଙ୍କା ଉଠାଇବାର ନିୟମ ନ ଜଣାଇ ଭଉଣୀକୁ ଆଣ ଟଙ୍କା ଦେବି କହି ଶାଖା ପରିଚାଳକ ଏଭଳି ସମସ୍ୟାକୁ ଡାକିଥିବା ଜଣାପଡ଼ିଛି। ପରବର୍ତ୍ତୀ ସମୟରେ ପୁଲିସ ବ୍ୟାଙ୍କ ପିଣ୍ଡାରେ ଥିବା କଙ୍କାଳକୁ ମୂଳ କବର ସ୍ଥାନକୁ ନେଇ ପୋତିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କାଲରା ମୁଣ୍ଡାଙ୍କ ମୃତ୍ୟୁ ପରେ ତାଙ୍କ ଜମା ଖାତାର ନୋମିନି ଥିବା ତାଙ୍କ ବଡ଼ ଭାଇ କିଛି ବର୍ଷ ଆଗରୁ ପ୍ରାଣ ହରାଇଛନ୍ତି। ବ୍ୟାଙ୍କ ଅଧିକାରୀଙ୍କୁ ନିୟମ ଅନୁଯାୟୀ ଏକମାତ୍ର ଦାବିଦାର ଥିବା ଜିତୁ ମୁଣ୍ଡାଙ୍କୁ କେମିତି ଯଥାଶୀଘ୍ର ଟଙ୍କା ଦିଆଯାଇ ପାରିବ ସେ ବ୍ୟବସ୍ଥା କରିବାକୁ ପାଟଣା ପୁଲିସ ନିର୍ଦେଶ ଦେଇଛି।










