14.1 C
Bhubaneswar
Saturday, January 4, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଏକାକୀ ୧୦୦୦ କିମି ଯାତ୍ରା କରି ଚର୍ଚ୍ଚାରେ ୟୁକ୍ରେନ୍ ବାଳକ

ଏକାକୀ ୧୦୦୦ କିମି ଯାତ୍ରା କରି ଚର୍ଚ୍ଚାରେ ୟୁକ୍ରେନ୍ ବାଳକ

କିଭ୍‌: ଦୀର୍ଘ ୧୨ ଦିନ ଧରି ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଚାଲିଥିବାବେଳେ ଇତିମଧ୍ୟରେ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ୟୁକ୍ରେନ୍ ନାଗରିକ ପ୍ରାଣ ବଞ୍ଚାଇବାକୁ ରୋମାନିଆ, ହଙ୍ଗେରୀ, ମୋଲଡୋଭା ଓ ସ୍ଲୋଭାକିଆ ଭଳି ପଡୋଶୀ ଦେଶକୁ ଶରଣାର୍ଥୀଭାବେ ଚାଲିଗଲେଣି । ୟୁକ୍ରେନ୍ ଶରଣାର୍ଥୀଙ୍କ ଏକାଧିକ ଦୁର୍ବିସହ କାହାଣୀ ଗଣମାଧ୍ୟମରେ ପ୍ରସାରିତ ହେଉଥିବାବେଳେ ବର୍ତ୍ତମାନ ଚର୍ଚ୍ଚାକୁ ଆସିଛି ୟୁକ୍ରେନ୍‌ର ଜଣେ ୧୧ ବର୍ଷର ବାଳକ । ୟୁକ୍ରେନ୍‌ର ଦକ୍ଷିଣ-ପୂର୍ବ ଜାପୋରିଜ୍‌ଝିଆ ସହରରୁ ଏହି କୁନି ବାଳକଟି ଏକୁଟିଆ ୧୦୦୦ କିମି ଯାତ୍ରା କରି ଶେଷରେ ସ୍ଲୋଭାକିଆ ସୀମାରେ ପ୍ରବେଶ କରିଛି । ଦୀର୍ଘ ପଥ ଅତିକ୍ରମ କରିଥିବା ସତ୍ତ୍ୱେ ବାଳକର ମୁହଁରେ ହସ ଫୁଟୁଥିବା ଏବଂ କ୍ଲାନ୍ତିର କୌଣସି ଚିହ୍ନବର୍ଣ୍ଣ ନଥିବାରୁ ସେ ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସ୍ଲୋଭାକିଆର ସ୍ୱରାଷ୍ଟ୍ର ମନ୍ତ୍ରୀ ଏକ ଟ୍ୱିଟ୍ କରି ଏହି ସାହସୀ ବାଳକକୁ ‘ରୁଷ୍‌-ୟୁକ୍ରେନ୍ ଯୁଦ୍ଧର ଅସଲ ନାୟକ (ହିରୋ)’ ଆଖ୍ୟା ଦେଇଛନ୍ତି । ଜଣେ ଅସୁସ୍ଥ ସମ୍ପର୍କୀୟଙ୍କ ଦେଖାଶୁଣା କରିବାକୁ ଏହି ବାଳକର ପିତାମାତା ଜାପୋରିଜ୍‌ଝିଆ ସହରରେ ରହିବାକୁ ବାଧ୍ୟ ହୋଇଥିଲେ । ତେବେ ରୁଷ୍ ଆକ୍ରମଣରୁ ନିଜର ସନ୍ତାନ କିପରି ରକ୍ଷା ପାଇବ, ତାହା ସେମାନଙ୍କର ଚିନ୍ତାର କାରଣ ପାଲଟିଥିଲା । ଶେଷରେ ସେମାନେ ପିଲାଟିକୁ ଏକୁଟିଆ ଟ୍ରେନ୍‌ରେ ବସି ସ୍ଲୋଭାକିଆ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ । କାନ୍ଧରେ ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗ, ପାସ୍‌ପୋର୍ଟ ଏବଂ ହାତରେ ଲେଖାଯାଇଥିବା ଫୋନ୍ ନମ୍ବର (ସ୍ଲୋଭାକିଆରେ ରହୁଥିବା ସମ୍ପର୍କୀୟଙ୍କ ଫୋନ୍ ନମ୍ବର) ନେଇ ବାଳକଟି ଟ୍ରେନ୍‌ରେ ଚଢିଥିଲା । ସ୍ଲୋଭାକିଆ ସୀମାରେ ପହଞ୍ଚିବାପରେ ସେଠାରେ ମୁତୟନ ସୈନ୍ୟମାନେ ଉକ୍ତ ନମ୍ବରରେ ଯୋଗାଯୋଗ କରିଥିଲେ । ବାଳକର ସମ୍ପର୍କୀୟ ଘଟଣାସ୍ଥଳରେ ପହଞ୍ଚି ଶେଷରେ ବାଳକକୁ ସେମାନଙ୍କ ହେପାଜତକୁ ନେଇଛନ୍ତି । ସୁରକ୍ଷିତ ପହଞ୍ଚିବାପରେ ବାଳକର ମାଆ ସ୍ଲୋଭାକିଆ ସରକାର ଏବଂ ପୁଲିସକୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ସ୍ଲୋଭାକିଆ ସୀମାରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ପିଲାଟିକୁ ପ୍ରବଳ ଥଣ୍ଡାରୁ ରକ୍ଷା କରିବାକୁ ଗରମ ସ୍ଥାନକୁ ନେବା ସହ ଖାଦ୍ୟପେୟର ସୁବନ୍ଦୋବସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking