ମୁମ୍ବାଇ: ମହାରାଷ୍ଟ୍ର ପୁଲିସ ଦ୍ୱାରା ଗିରଫ ହୋଇ ଜାମିନ ପାଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବୁଧବାର ବମ୍ବେ ହାଇକୋର୍ଟରେ ଆଶ୍ୱସ୍ତି ମିଳିଛି । ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ପୁଲିସ ରାଣେଙ୍କୁ ଗିରଫ କରିପାରିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅପରପକ୍ଷରେ ଭବିଷ୍ୟତରେ ଏଭଳି ବିବାଦୀୟ ମନ୍ତବ୍ୟ ନଦେବାକୁ ହାଇକୋର୍ଟ ରାଣେଙ୍କୁ ଚେତାବନୀ ଦେଇଛନ୍ତି । ସୂଚନାଯୋଗ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାଣେଙ୍କ ବିରୋଧରେ ରାଜ୍ୟର ଚାରିଟି ଥାନାରେ ପୃଥକ ଏତଲା ଦାଏର କରାଯାଇଥିଲା । ଏହି ସହରଗୁଡିକ ହେଲା ନାସିକ୍, ପୁଣେ, ମାହାଦ୍ ଓ ଥାଣେ । ତଦନୁଯାୟୀ ରାଣେ ମଙ୍ଗଳବାର ରତ୍ନଗିରିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ପୁଲିସ ତାଙ୍କୁ ଗିରଫ କରିଥିଲା ।
ବିଳମ୍ବିତ ରାତିରେ ଅବଶ୍ୟ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ତେବେ ଗିରଫଦାରୀ ଏଡାଇବାକୁ ରାଣେଙ୍କ ଓକିଲ ବମ୍ବେ ହାଇକୋର୍ଟରେ ମଙ୍ଗଳବାର ଆଗୁଆ ଜାମିନ ଆବେଦନ କରିଥିବାବେଳେ ୪ଟି ଏତଲା ପ୍ରତ୍ୟାହାର ନିର୍ଦ୍ଦେଶ ଦେବାକୁ ଆବେଦନ କରିଥିଲେ । ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ସମ୍ଭବ ହୋଇପାରିନଥିଲା । ବୁଧବାର ହାଇକୋର୍ଟରେ ଶୁଣାଣି ଅନୁଷ୍ଠିତ ହୋଇଥିବାବେଳେ ରାଣେଙ୍କୁ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ଗିରଫଦାରୀରୁ ରିଆତି ମିଳିଛି । ନାସିକ୍ରେ ଦାଏର କରାଯାଇଥିବା ଏତଲାକୁ ନେଇ ହାଇକୋର୍ଟ ତାଙ୍କୁ ଆଶ୍ୱସ୍ତ କରିଥିବାବେଳେ ଅନ୍ୟ ତିନିଟି ଏତଲା ଉପରେ ବିଚାର କରିବାକୁ ରାଣେଙ୍କ ଓକିଲ ସତୀଶ ମାନସିନ୍ଧେ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ ।
ଏହାଉପରେ ହାଇକୋର୍ଟ ମନ୍ତବ୍ୟ ଦେଇଥିଲେ ଯେ ସବୁ ଏତଲା ଉପରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯିବ । ସ୍ୱୀଧାନତା ଦିବସ ପାଳନ ଉତ୍ସବରେ ଭାଷଣ ଦେଉଥିବାବେଳେ ଠାକ୍ରେ ଭାରତ କେବେ ସ୍ୱାଧୀନ ହୋଇଥିଲା, ତାହା ତାଙ୍କର ହଠାତ ମନେ ପଡିନଥିଲା । ମଞ୍ଚରେ ଉପସ୍ଥିତ ଅନ୍ୟ ଅତିଥିଙ୍କଠାରୁ ବୁଝିବାପରେ ଠାକ୍ରେ ତାଙ୍କର ଭାଷଣ ଜାରି ରଖିଥିଲେ । ଏହାକୁ ନେଇ ରାଣେ ଗତ ସୋମବାର ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ ‘ମୁଁ ଯଦି ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥାନ୍ତି, ତେବେ ଠାକ୍ରେଙ୍କୁ ଏକ ଚାପୁଡା ମାରିଥାନ୍ତି’ । ଜଣେ ଭାରତୀୟଭାବେ ଦେଶ କେବେ ସ୍ୱାଧୀନ ହେଲା, ତାହା କିପରି ଠାକ୍ରେ ଜାଣିନାହାନ୍ତି, ତାହା ରାଣେଙ୍କୁ ଦ୍ୱିଧାରେ ପକାଇଥିଲା ।
ତେବେ ରାଣେଙ୍କ ଏତାଦୃଶ ମନ୍ତବ୍ୟକୁ ମହାରାଷ୍ଟ୍ରରେ କ୍ଷମତାସୀନ ମେଣ୍ଟ ସରକାରର ଅନ୍ୟତମ ଅଂଶୀଦାର ଦଳ ଶିବସେନା ଗୁରୁତ୍ୱର ସହ ଗ୍ରହଣ କରିଥିଲା । ଶିବସୈନିକମାନେ ବିଭିନ୍ନ ସ୍ଥାନରେ ବିଜେପି କାର୍ଯ୍ୟାଳୟ ଉପରେ ଟେକାପଥର ମାଡ କରିଥିଲେ । ରାଣେଙ୍କ ଗିରଫଦାରୀକୁ ବିଜେପି ତୀବ୍ର ସମାଲୋଚନା କରିଥିବାବେଳେ ଅନ୍ୟ ବିରୋଧୀ ଦଳ ଶିବସେନା ସହ ସ୍ୱର ମିଳାଇଛନ୍ତି । ସୂଚନାଯୋଗ୍ୟ ଶିବସେନାରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ରାଣେ ଅତୀତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ତେବେ ଠାକ୍ରେ ଶିବସେନାର ନେତୃତ୍ୱ ନେବାପରଠାରୁ ରାଣେ ତାଙ୍କର ପ୍ରଥମ ଶତ୍ରୁ ପାଲଟିଥିଲେ । ଶିବସେନା ଛାଡିବାପରେ କିଛି ଦିନ କଂଗ୍ରେସରେ ମିଶିଥିଲେ । ୨୦୧୮ରେ ସେ ବିଜେପିରେ ବିଧିବଦ୍ଧଭାବେ ଯୋଗଦେଇଥିଲେ । ୨୦୨୧ ଜୁଲାଇ ୭ରେ ମୋଦୀ ତାଙ୍କର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଥିବାବେଳେ ରାଣେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗ କ୍ୟାବିନେଟ ମନ୍ତ୍ରୀପଦ ସମ୍ଭାଳୁଛନ୍ତି ।